ଭଦ୍ରକର ବିଶିଷ୍ଟ ଜନନେତା, ପ୍ରାକ୍ତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ୩୬ତମ ସ୍ମୃତିସଭା, ହୃଦାନନ୍ଦଙ୍କ ଭଳି ଆଉ ଜଣେ ରାଜନେତାଙ୍କ ଆବଶ୍ୟକତା ରହିଛି
ଭଦ୍ରକ, ୧ ମାର୍ଚ୍ଚ (ହି.ସ.) - ରାଜନୈତିକ ଜୀବନରେ ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକଙ୍କ ନୀତି ଆଦର୍ଶ ଆଚରଣ ଏବେ ଦେଖିବାକୁ ମିଳୁନାହିଁ। ସେ ଜଣେ ଦରିଦ୍ର ରାଜନେତା ଥିଲେ। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ରାଜ୍ୟ ରାଜନୀତିରେ ତାଙ୍କୁ ବହୁ ଉପରକୁ ଉଠାଇ ନେଇଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନା
HRUDANANDA MALLICK 36TH SMRUTI SABHA


ଭଦ୍ରକ, ୧ ମାର୍ଚ୍ଚ (ହି.ସ.) - ରାଜନୈତିକ ଜୀବନରେ ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକଙ୍କ ନୀତି ଆଦର୍ଶ ଆଚରଣ ଏବେ ଦେଖିବାକୁ ମିଳୁନାହିଁ। ସେ ଜଣେ ଦରିଦ୍ର ରାଜନେତା ଥିଲେ। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ରାଜ୍ୟ ରାଜନୀତିରେ ତାଙ୍କୁ ବହୁ ଉପରକୁ ଉଠାଇ ନେଇଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସେ ଡାହାଣ ହାତ ଥିଲେ। ଜନସେବା ହିଁ ତାଙ୍କର ପରମ ଧର୍ମ ଥିଲା। ପକେଟରେ ପଇଥା ନଥାଇ ସେ ରାଜନୀତି କରୁଥିଲେ। ଦୁଃଖୀ ଦରିଦ୍ରଙ୍କ ସମସ୍ୟା ସହ ସେ ଜଡିତ ରହୁଥିଲେ। ରାଜନୀତିରେ ତାଙ୍କର ପ୍ରତିଭା ବିଚକ୍ଷଣ ଥିଲା। ଧାମନଗର ନିର୍ବାଚନ ମଣ୍ଡଳୀର ସେ ବିଶ୍ୱକର୍ମା ଥିଲେ। ତାଙ୍କ ରାଜନୈତିକ କ୍ୟାରିୟରରେ ସେ ସବୁବେଳେ କୃଷିକୁ ଅଗ୍ରାଧିକାର ଦେଇ ବିଧାନସଭାରେ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେବାପାଇଁ ଲଢେଇ ଜାରି ରଖିଥିଲେ। ତାଙ୍କ ସମୟରେ ଧାମନଗର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଉଠାଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଯାହାର ସୁଫଳ ଏବେ ଧାମନଗରବାସୀ ପାଉଛନ୍ତି। ଏଭଳି ଜଣେ ନେତାଙ୍କର ଏବେ ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତଃ ମଲ୍ଲିକଙ୍କ ୩୬ତମ ଶ୍ରାଦ୍ଧ ଉତ୍ସବରେ ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ହୃଦାନନ୍ଦ ବାବୁ ଜଣେ ଦକ୍ଷ, ସଚ୍ଚୋଟ ରାଜନେତା ଭାବେ ପରିଚିତ ଥିଲେ ବୋଲି କହିବା ସହ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ନଚେତ ସେ ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ଜଳ ସମ୍ପଦ ବିଭାଗର ଜଣେ କ୍ୟାବିନେଟ ହୋଇଥାନ୍ତେ ବୋଲି ସେତେବେଳେ ଜୋରଦାର ଚର୍ଚ୍ଚା ହେଉଥିବା କଥା କହିଥିଲେ । ସେହି ଭଳି ପାଖରେ ପଇସା ନଥିବା ସତ୍ୱେ ସେ କୌଣସି ଦଳୀୟ ଲୋକ, ଅସହାୟତ ଜନତାଙ୍କୁ ସହାୟତା ଯୋଗାଇବାକୁ କୁଣ୍ଠାବୋଧ କରୁନଥିଲେ । ଆଜିର ରାଜନୀତିରେ ଛଳନା ତାଙ୍କ ଠାରେ ଆଦୌ ନଥିଲା ଓ ସେ ନେବା ନୁହେଁ ଦେବା ପାଇଁ ସର୍ବଦା ଆଗଭର ହେଉଥିଲେ ବୋଲି ବହୁ ବକ୍ତା ସ୍ମୃତିଚାରଣ କରି କହିଥିଲେ । ସଭାରେ ଉପସ୍ଥିତ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ବିଜେଡି ଜିଲା ସଭାପତି ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଶ୍ରମିକନେତା ଦିବ୍ୟସିଂହ ନାୟକ, ଡ.ରାଧାରଣୀ ମହାପାତ୍ର, ଅଶୋକ ବଳ, ଡ. ସଂଜୟ ଦାସ, ସୁଧାକର ନନ୍ଦ, ଶିଶିର ମିଶ୍ର, ଜିଲାପାଳ ଦିଲ୍ଲୀପ ରାଉତରାଏ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଏହି ସ୍ମୃତିସଭାରେ ସ୍ୱର୍ଗତ ମଲ୍ଲିକଙ୍କ ପୁତ୍ର ତଥା ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ତଥା ପୌତ୍ର ସକାଳ' ର ପ୍ରକାଶକ ଅମିତ ମଲ୍ଲିକ ଯୋଗଦାନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande