
ବଲାଙ୍ଗିର, ୧ ମାର୍ଚ୍ଚ (ହି.ସ.)- କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୁଲ୍ୟରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ-୨୦୨୬ କଟକ ସ୍ଥିତ ସାରଳା ଭବନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଟକ ମେୟର ସୁବାସ ସିଂ ଉକ୍ତ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ। ଓଡ଼ିଶାର ବିଜ୍ଞ ଓ ଅଭିଜ୍ଞ ଶିକ୍ଷାବିତ୍ ଙ୍କ ଉପସ୍ଥିତିରେ ଆଲୋଚନା ଚକ୍ରଟି ଚାରୋଟି ସଂପାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ବିଶିଷ୍ଟ ଶିକ୍ଷାବିତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଏନ୍ଏସିର ବିଶିଷ୍ଟ ଶିକ୍ଷାବିତ୍ ତଥା ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କୁ ଗୋପବନ୍ଧୁ ଶିକ୍ଷା ସମ୍ମାନ ରେ ସମ୍ମାନିତ କରିଥିଲେ। ଡ. ଦାଶଙ୍କ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଓ ହିନ୍ଦୀରେ ରତ୍ନ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ଓଡ଼ିଆ ଓ କୋସଲି ଭାଷା ସାହିତ୍ୟରେ ତାଙ୍କର ଅଗାଧ ପାଣ୍ତିତ୍ୟ ରହିଛି। ତତ୍ସଙ୍ଗେ ସେ ଜଣେ ଛାତ୍ର ବତ୍ସଳ ଆଦର୍ଶ ପ୍ରଧାନ ଶିକ୍ଷକ ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଦୁଇଟି ପୁସ୍ତକ ଭାବର ମହକ ଓ ଫୁଲ ଗଜରା ବେଶ୍ ପାଠକ ଆଦୃତି ଲାଭକରି ସାରିଛି।
ଏହି ସୁଖଦ ଖବର ପାଇ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ, ଶିକ୍ଷାବିତ୍ ଡ. ସୁଧାଂଶୁ ମେହେର, କବି ବରୁଣ କୁମାର ସାହୁ, ଅଧ୍ଯାପକ ଡ. ଲକ୍ଷ୍ମଣ ମେହେର, ଡ. ନବ କିଶୋର ବେହେରା, ଡ. ନିରଞ୍ଜନ ପଣ୍ଡା, ଗୁଡଭେଲା ସମ୍ବାଦ ସାହିତ୍ୟ ଘରର ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନ, ବିଧୁଭୂଷଣ ସାହିତ୍ୟ ସଂସଦର ସଭାପତି ଅଖିଳ ଷଡ଼ଙ୍ଗୀ, ଜିଲ୍ଲା ଲେଖକ ପରିଷଦ ଅଧ୍ୟକ୍ଷ ଜୟ କୁମାର ଆଚାର୍ଯ୍ୟ ଓ ସଂପାଦକ ସୁଶାନ୍ତ ବାଗ ତଥା ବନ୍ଧୁ ପରିଜନ ଡ. ଦାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ