
ପୁରୀ, ୧ ମାର୍ଚ୍ଚ (ହି.ସ.)- ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଓଡିଶା ଗସ୍ତ ଓଡିଶାବାସୀଙ୍କୁ ସୁଫଳ ଦେବ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଆଜି ପୂର୍ବାହ୍ନରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲ ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଅନ୍ୟତମ ସଦସ୍ୟ ଜଷ୍ଟିସ ଡ. ରବି ରଞ୍ଜନ, ଜଷ୍ଟିସ ଇନ୍ଦରମିତ କୌର କୋଚରଙ୍କ ସହ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପୁରୀରେ ପହଞ୍ଚି ଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସପି ପ୍ରତୀକ ସିଂ ଟ୍ରିବୁନାଲକୁ ସ୍ବାଗତ କରିଥିଲେ। ପରେ ଟ୍ରିବୁନାଲ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଆଡଭୋକେଟ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁନାଲ କ୍ଷେତ୍ର ପରିଦର୍ଶନ, ସ୍ଥିତି ଅନୁଧ୍ୟାନ କରିବା ଜରୁରୀ ଥିଲା।ପୂର୍ବରୁ ଗଠିତ କମିଶନ ୨୦୨୩ ମସିହାରେ ୭/୮ ଦିନ ପାଇଁ ଓଡିଶା ଗସ୍ତରେ ଆସିଥିଲେ। ତେବେ ଚଳିତ ଗସ୍ତରେ ଟ୍ରିବୁନାଲ ହୀରାକୁଦ ଜଳଭଣ୍ଡାର, ହୀରାକୁଦ ଡ୍ୟାମ, ବୁର୍ଲା ପାୱ୍ବାର ଚାନେଲ ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବୈଷୟିକ ଟିମ୍ ଦ୍ଵାରା ପ୍ରସ୍ତୁତ ତଥ୍ୟକୁ ପାୱ୍ବାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ମହାନଦୀର ସମଗ୍ର ଡେଲଟା ଅଞ୍ଚଳ ଯାହାକି ବନ୍ଧର ତଳ ଅଞ୍ଚଳକୁ ହେଲିକପ୍ଟର ମାଧ୍ୟମରେ ଟ୍ରିବୁନାଲକୁ ଦେଖାଇ ଦିଆଯାଇଥିଲା। ଯାହା ଫଳରେ ମହାନଦୀର ପ୍ରକୃତ ସ୍ଥିତି ଜଣା ଯାଇପାରିବ। ସାତକୋଶିଆ ଗଣ୍ଡ ଟ୍ରିବୁନାଲ ଦେଖିଲେ। ବରଗଡ଼, ସୋନପୁର, କଟକ ଯେଉଁ ସ୍ଥାନ ଦେଇ ମହାନଦୀ ପ୍ରବାହିତ ତାହା ସେମାନେ ଅନୁଧ୍ୟାନ କରିଛନ୍ତି। ଯେ କୌଣସି ନ୍ୟାୟିକ ବ୍ୟବସ୍ଥାରେ ସ୍ବଚକ୍ଷୁରେ ଦେଖିଲେ ହିଁ ତାହାର ବାସ୍ତବତା ସମ୍ପର୍କରେ ଅବଗତ ହୋଇଥାଏ। ଓଡିଶା ଓ ଛତିଶଗଡ ଅଞ୍ଚଳକୁ ଟ୍ରିବୁନାଲର କାର୍ଯ୍ୟକାଳ ସରିବା ପୂର୍ବରୁ ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସ୍ବାଗତଯୋଗ୍ୟ। ଏଥିରେ ଉଭୟ ରାଜ୍ୟର ସ୍ବାର୍ଥ ଓ ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରାଯାଉଛି। ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଓ ଚିଲିକା ଯାହା ମହାନଦୀ ସହ ଓତଃପ୍ରୋତଃ ଭାବେ ଜଡ଼ିତ। ଅନେକ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲ ସମାଧାନ କରି ପାରିନାହିଁ। କିନ୍ତୁ ଆମେ ଆଶାବାଦୀ ମହାନଦୀ ବିବାଦର ସମାଧାନ ହେବ ଓ ଇତିହାସରେ ଏକ ସଫଳ ଦୃଷ୍ଟାନ୍ତ ହୋଇରହିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।
ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ଅନ୍ୟାନ୍ୟ ଅଧିକାରୀ ମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ