
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଯୋଗ ମହୋତ୍ସବ
ସମିତି, ଓଡ଼ିଶା ପକ୍ଷରୁ “ପ୍ରାନ୍ତୀୟ ପ୍ରଶିକ୍ଷକ ପ୍ରଶିକ୍ଷଣ ବୈଠକ” ୟୁନିଟ୍-୩
ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର
ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଗଠନର ଦୃଢ଼ୀକରଣ ସହ ଆସନ୍ତା ଜୁନ୍ ୨୧ ଅନ୍ତର୍ଜାତୀୟ ଯୋଗ ଦିବସର ସଫଳ
ପରିଚାଳନା ପାଇଁ ବ୍ୟାପକ ଆଲୋଚନା ଓ ପରିକଳ୍ପନା।
ଏହି ବୈଠକରେ ମୁଖ୍ୟ ଅତିଥି
ଭାବେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ଉପନିର୍ଦେଶକ ଶକ୍ତି ସ୍ୱରୂପ
ସିଂହ ଉପସ୍ଥିତ ରହି ଯୋଗର ଗୁରୁତ୍ୱ, ସ୍ୱାସ୍ଥ୍ୟ ସଚେତନତା ଓ
ଯୁବଶକ୍ତିଙ୍କ ଭୂମିକା ସମ୍ପର୍କରେ ମୂଲ୍ୟବାନ ମନ୍ତବ୍ୟ ପ୍ରକାଶ କରିଥିଲେ।
ଏଥି ସହିତ ଯୋଗ ମହୋତ୍ସବ
ସମିତିର ପ୍ରାନ୍ତ ସଭାପତି ଆଲୋକ କୁମାର ଦାସ, ଉପସଭାପତି
ସରୋଜଲକ୍ଷ୍ମୀ ସିଂହ ଓ ଅସୀମା ସାହାଣୀ, ପ୍ରାନ୍ତ ସମ୍ପାଦକ ଡ଼ା.
ଦେବକାନ୍ତ ବେହେରା, ସହ ସମ୍ପାଦକ ସତ୍ୟ ଶୋଭନ
ମିଶ୍ର, ପ୍ରାନ୍ତ ସଂଯୋଜକ ଅମୀୟ କୁମାର ଦାସ, ପ୍ରାନ୍ତ ସଙ୍ଗଠକ ପ୍ରେମାନନ୍ଦ ନାଥ, କୋଷାଧ୍ୟକ୍ଷ ଚନ୍ଦନ କୁମାର ପ୍ରଧାନ, ଅଧ୍ୟକ୍ଷ ସନତ ପଟ୍ଟନାୟକ ଏବଂ କାର୍ଯ୍ୟାଳୟ ପ୍ରମୁଖ ଋତ୍ଵିକଶ୍ରୀ ଦାଶ
ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ପ୍ରତ୍ୟେକ
ଜିଲ୍ଲାର ସଂଯୋଜକ ଓ ସହ ସଂଯୋଜକମାନେ ପ୍ରଶିକ୍ଷଣ ଗ୍ରହଣ କରି ଯୋଗ ଶିକ୍ଷା, ସଂଗଠନ ପରିଚାଳନା ଓ ଆସନ୍ତା କାର୍ଯ୍ୟକ୍ରମ ଜୁନ୍ ୨୧ ଅନ୍ତର୍ଜାତୀୟ
ଯୋଗ ଦିବସର ରୂପରେଖ ସମ୍ପର୍କରେ ସୂକ୍ଷ୍ମ ଆଲୋଚନା କରିଥିଲେ। ବୈଠକଟି ସମସ୍ତଙ୍କ ସକ୍ରିୟ
ସହଭାଗିତାରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା