
କନ୍ଧମାଳ , ୧୨ ମାର୍ଚ୍ଚ (ହି.ସ.) ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆସୁଥିବା ନେଇ ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ ପ୍ରତି ବର୍ଷ ଭଳି କନ୍ଧମାଳ ଜିଲ୍ଲା ର ପ୍ରାକୃତିକ ପରିବେଶ ରେ ଭରା ଜଙ୍ଗଲ ରେ ନିଆଁ ଲାଗିବା ଆଶଙ୍କା କୁ ଦୃଷ୍ଟିରେ ରଖି ଫୁଲବାଣୀ ବନଖଣ୍ଡ ପକ୍ଷରୁ ଡିଏଫଓ ଶ୍ରୀ ପ୍ରତାପ କୋଟ୍ଟପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ତୁଡିପାଜୁ ପଞ୍ଚାୟତ ରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ନେଇ ଏକ ସଚେତନତା ଶୋଭାଯାତ୍ରା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ ଟା ସମୟରେ ତୁଡିପାଜୁ ବିଦ୍ୟାଳୟର ନିକଟରୁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରା କୁ ତୁଡିପାଜୁ ସରପଞ୍ଚ ଶ୍ରୀମତୀ କୌଶଲ୍ୟା କହଁର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଗାଁ ଭିତରେ ଲୋକଙ୍କୁ ସଚେତନତା ସୃଷ୍ଟି କରି ନବୋଦୟ ବିଦ୍ୟାଳୟ ପର୍ଯନ୍ତ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ସେଠାରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା। ଏଥିରେ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲରେ ନିଆଁ ନ ଲଗାଇବା କିମ୍ବା କାହାକୁ ନିଆଁ ଗାଇବାକୁ ନ ଦେବା ତଥା ନିଆଁ ଲାଗିଥିଲେ ବନ ସଂରକ୍ଷଣ ସମିତି କିମ୍ବା ବନ ବିଭାଗ କୁ ସୁଚନା ଦେବା ସହିତ ନିଆଁ କୁ ଆୟତ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଜଣେ ଆଦର୍ଶ ନାଗରିକ ର କର୍ତବ୍ୟ ବୋଲି କହିଥିଲେ। ଜଙ୍ଗଲ ନଷ୍ଟ ହେଲେ ମନୁଷ୍ଯ,ଜୀବଜନ୍ତୁ ଏବଂ ପରିବେଶ ପ୍ରଦୁଷଣ ହେବା ସହିତ ଅମ୍ଳଜାନ ଓ ଜଳର ମଧ୍ୟ ଅଭାବ ଦେଖା ଦେବ। ତେଣୁ ଜଙ୍ଗଲର ସୁରକ୍ଷା ଆମର ଦାୟିତ୍ଵ ବୋଲି ସରପଞ୍ଚ ଏବଂ ଉପସ୍ଥିତ ଅତିଥି ମାନେ କହିଥିଲେ। ପରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ଏକ ସାମୁହିକ ଶପଥପାଠ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ତୁଡିପାଜୁ ନାୟବ ସରପଞ୍ଚ ବିରାଜ କୁମାର ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜିନୀ ନାୟକ, ବନ ସଂରକ୍ଷଣ ସମିତି ସଭାପତି ମଙ୍ଗୁଳିଧର କହଁର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ ବସ୍ତିଆ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ଟି ବନପାଳ ସରୋଜ କୁମାର ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବା ବେଳେ ବନରକ୍ଷୀ ପ୍ରେମାନନ୍ଦ ପାତ୍ର,ରଶ୍ମିରଞ୍ଜନ ପଟ୍ଟନାୟକ,ମୋନାଲିସା ପାତ୍ର,ଜି. ରାହୁଲ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ