
ମାଲକାନଗିରି,୧୬ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଶ୍ରୀ ଉପାଧ୍ୟାୟ ମାଲକାନଗିରିରୁ ବଦଳି ହୋଇ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ମାଲକାନଗିରିରେ ମାତ୍ର ୮ ମାସର କାର୍ଯ୍ୟକାଳ ମଧ୍ୟରେ ସେ ନିଜର କାର୍ଯ୍ୟଦକ୍ଷତା ଓ ଜନହିତକର କାର୍ଯ୍ୟ ପାଇଁ ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ବିଶେଷକରି ବଣ୍ଡା ଜନଜାତିଙ୍କ ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ତାଙ୍କର ଦିଗଦର୍ଶନ ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ପ୍ରଥମ ଥର ପାଇଁ ପଞ୍ଚାୟତ ସ୍ତରରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କରିବାରେ ମଧ୍ୟ ଶ୍ରୀ ଉପାଧ୍ୟାୟଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା। ତାଙ୍କର ସ୍ୱଳ୍ପ ରହଣି ମଧ୍ୟରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ତହସିଲଦାର, ବିଡିଓ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ