
କେନ୍ଦୁଝର, ୧୩ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାରେ ପୂର୍ବତନ ସେନା କର୍ମଚାରୀ, ବୀର ନାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏକ ବୃହତ 'ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର' ଆୟୋଜିତ ହେବାକୁ ଯାଉଛି। ଚଳିତ ମାର୍ଚ୍ଚ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ବିଶାଳ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେନାବାହିନୀର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ କରିବା ପରେ ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରକୁ ଶିବିର ପାଇଁ ଚୟନ କରିଛନ୍ତି। ଏହି ସ୍ଥାନଟି ୧୪ ନମ୍ବର ଓଡ଼ିଶା ଏନସିସି ବାଟାଲିୟନ ନିକଟରେ ଥିବାରୁ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସୁଥିବା ହିତାଧିକାରୀଙ୍କ ପାଇଁ ଯାତାୟାତ ସୁବିଧାଜନକ ହୋଇଥିବାରୁ ଏହାକୁ ସ୍ଥିର କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସେନା ପ୍ରାକ୍ତନ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶିବିର ସ୍ଥାନକୁ ଆଣିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ସରକାରୀ ବସର ବ୍ୟବସ୍ଥା କରାଯିବ। ଏଥିସହ ଶିବିରରେ ଚିକିତ୍ସା ସୁବିଧା ପାଇଁ ଆବଶ୍ୟକୀୟ ଆସବାବପତ୍ର, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ଇନଭର୍ଟର/ଜେନେରେଟର ବ୍ୟବସ୍ଥା ପ୍ରଶାସନ ଯୋଗାଇ ଦେବେ। ଜିଲ୍ଲା ସୈନିକ କଲ୍ୟାଣ ଅଧିକାରୀ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହି ମେଡିକାଲ କ୍ୟାମ୍ପର କିଛି ମୁଖ୍ୟ ଲକ୍ଷ୍ୟ ହେଲା ସେନା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ବୀମା ପଞ୍ଜିକରଣ ବୃଦ୍ଧି। ପେନସନ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ। ବୀର ନାରୀ ଓ ସେନା ବିଧବାମାନଙ୍କ ସୁବିଧା ଅସୁବିଧା ବୁଝିବା। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା କରିବା। ଏହି ପଦକ୍ଷେପ ଦ୍ୱାରା ଜିଲ୍ଲାରେ ସାମରିକ ଓ ବେସାମରିକ ସମନ୍ୱୟ ଅଧିକ ସୁଦୃଢ଼ ହେବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାର୍ଗେ, ଲେଫ୍ଟନାଣ୍ଟ କର୍ଣ୍ଣେଲ ସନ୍ତୋଷ କୁମାର ପଣ୍ଡା, ଡେପୁଟି କଲେକ୍ଟର, ଶ୍ୱେତାଲିନା ସାହୁ , ସୁବେଦାର ମେଜର ଚନ୍ଦ୍ରମଣି ଦଳେଇ, ସୁବେଦାର ମେଜର ସୁଧାଂଶୁ ଶେଖର ମହାକୁଡ଼,ଡାକ୍ତର ପ୍ରଦୀପ କୁମାର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଂଜନ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଦର୍ଶନ ଗାଙ୍ଗଇ, ୱାରେଣ୍ଟ ଅଫିସର ସନ୍ତୋଷ ତ୍ରିପାଠୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ ଉପସ୍ଥିତ ରହି ଶିବିରର ସମସ୍ତ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ବିଶେଷଜ୍ଞ ଚିକିତ୍ସକଙ୍କ ନିକଟରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପରାମର୍ଶ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA