



ସମ୍ବଲପୁର,୧୩ ମାର୍ଚ୍ଚ(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡ଼ରମା ରେଞ୍ଜ ଅଭୟରଣ୍ୟ ଆଜି ପୂର୍ବାହ୍ନରୁ ହୁ ହୁ ହୋଇ ଜଳି ଉଠୁଥିବା ଦେଖିବାକୁ ମିଳିଥିଲା। ଅଭୟାରଣ୍ୟରେ ଏଭଳି ଅଗ୍ନିକାଣ୍ଡ ଦେଖି ଅଂଚଳବାସୀ ଆତଙ୍କିତ ହୋଇ ପଡିଥିବା ବେଳେ କିନ୍ତୁ ବନ ବିଭାଗ ଅଚିନ୍ତା ନିଦ୍ରାରେ ଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ପୂର୍ବାହ୍ନରୁ ଦିନ ଦ୍ୱିପ୍ରହର ଯାଏଁ ଆଜି ବଡ଼ରମା ରାସ୍ତାର ପିଠାମାରେନ ପାଖ ରାସ୍ତାକଡ଼ରୁ ଧରି କୁରେଇବାହାଲ ପର୍ଯ୍ୟନ୍ତ ନିଆଁ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଏଭଳି ଅଗ୍ନିକାଣ୍ଡ ଦେଖି ରେଞ୍ଜର ଗିରିଧାରୀ ପ୍ରଧାନଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇବାକୁ ଗୁରୁତ୍ୱ ଦେଇନଥିଲେ। ଗ୍ରୀଷ୍ମର ପ୍ରାରମ୍ଭରୁ ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଗ୍ରାମେ ଗ୍ରାମେ ବନାଗ୍ନୀ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଲୋକମାନଙ୍କୁ ଏ ଦିଗରେ ସଚେତନ କରାଯିବା ସହ ଆଶ୍ୱାସନା ମଧ୍ୟ ଦିଆଯାଉଛି ଯେ ସବୁ ସମୟରେ ବନବିଭାଗ ଆପଣଙ୍କ ସାହାଯ୍ୟ ପାଇଁ ତତ୍ପର ଅଛି। ମାତ୍ର ଆଜି ବନବିଭାଗର ବାସ୍ତବ ରୂପରେଖ ଦେଖି ଲୋକେ ତାଜୁବ୍। ଅସମୟରେ ବନ ବିଭାଗ ଅଧିକାରୀ ନିଆଁ ଲିଭାଇବେ କଣ ଲୋକଙ୍କ ଫୋନ୍ ମଧ୍ୟ ଉଠାଇବା ପାଇଁ ଗୁରୁତ୍ୱ ଦିଅନ୍ତି ନାହିଁ। ଯାହା ଫଳରେ ଲୋକଙ୍କ ଦ୍ୱାରା ଯେତିକି ସମ୍ଭବ ସେହି ହିସାବରେ ଅଗ୍ନି ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ସେମାନଙ୍କ ପାଖରେ ସେଭଳି ସାରଞ୍ଜାମ ନଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବାରେ ବିଫଳ ହୋଇଛନ୍ତି। ଆଜିର ଘଟଣା ପରେ ଲୋକେ ଅଭିଯୋଗ କରନ୍ତି ସଚେତନତା କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପକ୍ଷରୁ କିଛି ମୋଟା ଅଙ୍କର ଆର୍ôଥକ ଅନୁଦାନ ମିଳୁଥିବାରୁ କେବଳ ଅନୁଦାନ ଅର୍ଥ ହଡ଼ପ ଉଦେଶ୍ୟରେ ବନ ବିଭାଗ ଆଦିବାସୀ ଅଧ୍ୟୁଷିତ ଗାଁ ଗହଳିର ସରଳ ଲୋକଙ୍କୁ ଲୋକ ଦେଖାଣିଆ ଭାବେ ସଚେତନତା କାର୍ଯ୍ୟକ୍ରମ କରାଉଛି। ଚାଷ ଅମଳ ସମୟରେ ଜଙ୍ଗଲୀ ପଶୁଙ୍କ ବିଷୟରେ ସଚେତନତା ହେଉ ଅବା ଗ୍ରୀଷ୍ମ ସମୟରେ ବନାଗ୍ନୀ ସଚେତନତା ହେଉ କେବଳ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଲୋକଙ୍କୁ ଜମାଇ ଫୋଟୋ ଉଠାଇବା ହିଁ ମୁଖ୍ୟ କାରଣ ପାଲଟିଛି। ଜଙ୍ଗଲ ବିଭାଗର ଏଭଳି ଅବହେଳାକୁ ଦେଖି ଲୋକଙ୍କ ମନରେ ଜଙ୍ଗଲ ବିଭାଗ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଆଜି ଅଭୟାରଣ୍ୟ ଜଳୁଥିବା ଖବର ପାଇ ବଡ଼ରମା ରେଞ୍ଜର ଗିରିଧାରୀ ପ୍ରଧାନଙ୍କୁ ବାରମ୍ବାର ଫୋନ୍ କରାଯାଇଥିଲା କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଏହା କେବଳ ଆଜିକାର ଘଟଣା ନୁହେଁ ଅନ୍ୟ ଦିନରେ ମଧ୍ୟ ରେଞ୍ଜରଙ୍କ ଏହି ପ୍ରକୃତିକୁ ଲୋକେ ନିନ୍ଦା କରୁଥିବା ଦେଖିବାକୁ ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ