
ପୁରୀ, ୧୬ ମାର୍ଚ୍ଚ (ହି.ସ.) - ବିଶ୍ୱର ମଧ୍ୟପ୍ରାଚ୍ୟ ଅଂଚଳରେ ଯୁଦ୍ଧର ବିଭୀଷିକା ଚାଲିଥିବା ବେଳେ ଭାରତରେ ତୈଳ ସଙ୍କଟ ଦେଖାଦେଇଛି । ପୁରୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟୀକ ଗ୍ୟାସ ନମିଳିବାରୁ ଅନେକ ହୋଟେଲରେ ଖାଦ୍ୟ ରନ୍ଧନ ବନ୍ଦ ରହିଛି । ଯାହାଫଳରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସାଧୁ କଳାବଜାରୀ ଗ୍ୟାସ ରଖିଥିବା ବେଳେ ପୋଲିସ ସେମାନଙ୍କ ପାଖରେ ଚଢ଼ାଉ କରି ଗ୍ୟାସ ଜବତ କରିଥିଲା । ଘରୋଇ ଏଲପିଜି ଗ୍ୟାସ ଗ୍ରାହକ ମାନେ ବୁକିଂ କରି ଡିପୋକୁ ଗ୍ୟାସ ସିଲିଣ୍ଡର ନେଇ ବାରମ୍ବାର ଫେରୁଥିବା ଦେଖିବାକୁ ମିଳିଛି । ସହରରେ କୋଠା ଘର ହେଉଥିବାରୁ କାଠ ଜାଳି ରୋଷେଇ କରିବା ସମ୍ଭବ ହେଉନାହିଁ । ଗ୍ୟାସ ମିଳୁନଥିବା ବେଳେ ଇଲେକ୍ଟ୍ରି ଇଣ୍ଡକସନ ଚୁଲା ମଧ୍ୟ ଦୋକାନିଙ୍କ ପାଖରେ ଉଭାନ ହୋଇଯାଇଛି । ଯାହାଫଳରେ ଘରୋଇ ପରିବାର ଗ୍ୟାସ ନପାଇବା ଯୋଗୁ ହନ୍ତସନ୍ତ ହେଉଛନ୍ତି । ଗ୍ୟାସ ବୁକିଂ କଲେ ମଧ୍ୟ ମେସେଜ ଆସୁନାହିଁ । ପୁରୀ ସହରବାସୀ ଗ୍ୟାସ ଗ୍ରାହକ ମାନଙ୍କୁ ଯୋଗାଣ ବିଭାଗ ଜରିଆରେ ନିରବଛିନ୍ନ ଗ୍ୟାସ ଦେବା ପାଇଁ ସାଧାରଣରେ ଦାବି ହେଉଛି । ଏବେ ବି କିଛି ଗ୍ୟାସ କଳାବଜାରୀ ମାନେ ଗ୍ୟାସ କେଜି ପିଛା ୨ଶହ ଟଙ୍କାରେ ୧୦ କେଜି ଗ୍ୟାସ ଭର୍ତି କରି ଗ୍ରାହକଙ୍କୁ ଲୁଚାଛପାରେ ଦେଉଥିବା ଅଭିଯୋଗ ହେଉଛି । ଗ୍ୟାସ ଡିପୋ ମାନଙ୍କରେ ଗହଳି କୁ ଲକ୍ଷ କରି କର୍ମଚାରୀ ମାନେ ରହୁନଥିବାବେଳେ କେବଳ ସିକ୍ୟୁରିଟ ଡିପୋ ଜଗିଥିବା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଭିନ୍ନ ଡିପୋ ପରିଦର୍ଶନ କରି କେଉଁ ଡିପୋରେ କେତେ ଗ୍ୟାସ ରହିଛି ତାହାକୁ ଜନସାଧାରଣଙ୍କୁ ପ୍ରେସ ବିଜ୍ଞପ୍ତିରେ ଜଣାଇବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ