
ବ୍ରହ୍ମପୁର, ୧୬ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ରବିବାର ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ମାସିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧା ଚରଣ ନାୟକ, ଉପସଭାପତି ଡ଼ାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସମ୍ପାଦକ ରଜନୀକାନ୍ତ ମଣ୍ଡଳ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସାଧାରଣ ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିବା ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ପ୍ରଦାନ କରିଯିବା ସହ ସେମାନଙ୍କ ମଙ୍ଗଳ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ସଭାପତି ରାଧା ଚରଣ ନାୟକ ଆୟୁଷ୍ମାନ ଭାରତ ଯୋଜନା କାର୍ଡ ମାଧ୍ୟମରେ କେତେକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଲେ ସମ୍ପୃକ୍ତ ହସ୍ପିଟାଲ ପକ୍ଷରୁ ଖର୍ଚ୍ଚ ସମ୍ପର୍କରେ ଲିଖିତ ରସିଦ୍ ଦିଆଯିବ ନାହିଁ କହି କେବଳ ମୌଖିକ ଜଣାଉଛନ୍ତି ବୋଲି ଅବଗତ କରାଇଥିଲେ। ଏଥି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ସମୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ବିଶେଷ କରି ରନ୍ଧନ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ କଳାବଜାରୀ ରୋକିବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଗଲା। ଏଥି ସହିତ ପ୍ରତ୍ୟେକ ଜନସାଧାରଣ ସମ୍ପ୍ରତି ଉପୁଜୁଥିବା ପରିସ୍ଥିତି ରେ ହତୋତ୍ସାହିତ ନ ହୋଇ ଧର୍ଯ୍ୟ ର ମୁକାବିଲା କରିବା ପାଇଁ ଅନୁରୋଧ କରାଗଲା। ଅନୁଷ୍ଠିତ ଆଲୋଚନା ସଭାରେ କୋଷାଧ୍ୟକ୍ଷ ଲଡୁ କେଶ ମିଶ୍ର, ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ଙ୍କ ସମେତ ହାଡ଼ିବନ୍ଧୁ ମାଳି, ସୁବାସ ଚନ୍ଦ୍ର ପାଢୀ, ସଦାଶିବ ପାଣିଗ୍ରାହୀ, ରାମକୃଷ୍ଣ ଆଚାରୀ, ସୁବାସ ଚନ୍ଦ୍ର ନାୟକ, ରବିନ୍ଦ୍ର କୁମାର ନାୟକ, ଭିକାରୀ ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ରଜନୀକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ