
ମାଲକାନଗିରି, ୧୩ ମାର୍ଚ୍ଚ (ହି.ସ.)- ଏଲପିଜି ବା ରନ୍ଧନ ଗ୍ୟାସ୍ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ମାଲକାନଗିରି ଜିଲା କଂଗ୍ରେସ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଇରାନ ଯୁଦ୍ଧ ସାରା ବିଶ୍ୱରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଯାହା ଫଳରେ ଭାରତରେ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ରନ୍ଧନ ଗ୍ୟାସକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଚାରିଆଡ଼େ ଗ୍ୟାସ ଏଜେନ୍ସି ବାହାରେ ଗ୍ରାହକଙ୍କ ଭିଡ଼ ଲାଗି ରହିଛି । ଗ୍ରାହକଙ୍କୁ ଠିକ୍ ସମୟରେ ରନ୍ଧନ ଗ୍ୟାସ ନମିଳିବା ଯୋଗୁ ଏଲପିଜି ସିଲିଣ୍ଡରର କଳାବଜାର ବଢିଯାଇଛି । ଏଭଳି ପରିସ୍ଥିତିର ଲାଭ ଉଠାଉଛନ୍ତି ମହଜୁଦକାରୀ ଓ ମୁନାଫଖୋର ବ୍ୟବସାୟୀ। ବିଶେଷ କରି ସିଲିଣ୍ଡରର ଅଭାବ ଯୋଗୁ ବିଭିନ୍ନ ସମସ୍ୟା ଉପୁଜିଛି। ନୂଆ ସିଲିଣ୍ଡରଟିଏ ବୁକିଂ କରିବାକୁ ଗ୍ରାହକ ନାକେଦମ ହୋଇ ପଡୁଛନ୍ତି । କାରଣ ଅଧିକାଂଶ ସ୍ଥାନରେ ନୂଆ ସିଲିଣ୍ଡର ବୁକିଂ ହୋଇପାରୁନାହିଁ । ଏଣୁ ଏହାର ସମାଧାନ କରି ସମସ୍ତ ଗୃହିଣୀ ଓ ଉପଭୋକ୍ତାମାନଙ୍କୁ ସଠିକ୍ ଦରରେ ସୁବିଧା ଉପାୟରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ଜିଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ନଚେତ୍ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲା କଂଗ୍ରେସ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ୨୦୧୪ ମସିହା ପୂର୍ବରୁ ମନମୋହନ ସିଂଙ୍କ ସରକାର ସମୟରେ ଘରୋଇ ସିଲିଣ୍ଡର ପିଛା ୪୧୦ ଟଙ୍କା ରହିଥିବା ବେଳେ ଏବେ ଏହା ୧୦୦୦ ଟଙ୍କାରେ ପହଞ୍ଚିଲାଣି । ମୋଦୀଙ୍କ ଆଚ୍ଛା ଦିନ ସ୍ବପ୍ନର ବାସ୍ତବତା କିପରି ବିକୃତତାକୁ ଆଜି ଦେଶର ସାଧାରଣ ଜନତା ଅନୁଭବ କରୁଛନ୍ତି । ଏହି ମହଙ୍ଗା ମାଡ଼ ସିଧାସଳଖ ହାଣ୍ଡିଶାଳରେ ପଡ଼ିଛି। ଏଣୁ ହାଣ୍ଡିଶାଳରୁ ବିପ୍ଲବର ସ୍ବର ପ୍ରକଟିତ ହେବାର ସମୟ ଆସିଛି ବୋଲି ଜିଲା ନେତୃତ୍ୱ ବୃନ୍ଦମାନେ କହିଥିଲେ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ରହିମ ଖାନ, ଭୀମା ବାର୍ଷେ, କେଶୁ ରାଓ, ପଦ୍ମ ପାଙ୍ଗିଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ