

ମାଲକାନଗିରି, ୧୪ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା ସଦର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏକ କଣ୍ଟେନର ଭିତରେ ଅତି ଅମାନୁଷିକ ଭାବେ ଚାଲାଣ କରାଯାଉଥିବା ୮୧ଟି ଗାଈଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗାଡ଼ିର ଚାଳକକୁ ଅଟକ ରଖାଯାଇଛି ।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏହି ଖବର ପାଇ ମାଲକାନଗିରି ମଡେଲ ଥାନା ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା । ଚମ୍ପାଖାରୀ ଚେକ୍-ପୋଷ୍ଟ ନିକଟରେ ପୋଲିସ ଟିମ୍ ସନ୍ଦେହଜନକ କଣ୍ଟେନରଟିକୁ ଅଟକାଇ ଯାଞ୍ଚ କରିଥିଲେ ।କଣ୍ଟେନର ପଛ ଗେଟ୍ ଖୋଲିବା ପରେ ପୋଲିସ ସେଥିରେ ୮୧ଟି ଗାଈ ବେଆଇନ ଭାବେ ଲଦା ହୋଇଥିବା ଦେଖିବାକୁ ପାଇଥିଲା । ପୋଲିସ ସମସ୍ତ ଗାଈଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ କଣ୍ଟେନର ଚାଳକକୁ ଅଟକ ରଖିଛି। ଗାଡ଼ିଟିକୁ ଜବତ କରିଛି । ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏହି ରାକେଟ୍ ପଛରେ ଆଉ କାହାର ହାତ ରହିଛି ଏବଂ ଏହି ଗୋରୁଗୁଡ଼ିକୁ କେଉଁଠାକୁ ଚାଲାଣ କରାଯାଉଥିଲା, ସେ ନେଇ ଅଧିକ ପଚରାଉଚରା କରାଯାଉଛି । ଆଗାମୀ ଦିନରେ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ