
ଭୁବନେଶ୍ୱର, ୧୫ ମାର୍ଚ୍ଚ (ହି.ସ.) – ‘ବିଜୁ–ନବୀନ
ଇନ୍ସପିରେସନାଲ୍ ଫାଉଣ୍ଡେସନ୍’ ଗଠନକୁ ନେଇ
ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରସୋସିଆଲ୍ ମିଡିଆରେ
ଗୁରୁତର ଅଭିଯୋଗ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ଦିଲ୍ଲୀରେ ଏହି ଫାଉଣ୍ଡେସନ୍ ଗଠନ କରି
କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନିଜ ମାଲିକାନାରେ ନେବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା
ସନ୍ଦେହ ରହିଛି।
ସୋସିଆଲ୍ ମିଡିଆ ପୋଷ୍ଟରେ ସେ ଅଭିଯୋଗ କରିଛନ୍ତି ଯେ
ସମସ୍ତଙ୍କୁ ଅଜାଣି ଦିଲ୍ଲୀରେ ଏହି ଫାଉଣ୍ଡେସନ୍ ଗଠନ କରାଯାଇ ବିଜୁ ଜନତା ଦଳ (ବିଜେଡି)ର
ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସେଠାକୁ ସ୍ଥାନାନ୍ତର କରିବା ପାଇଁ ଗୁପ୍ତ ଯୋଜନା କରାଯାଇଥିବା
ଅଭିଯୋଗ ରହିଛି। ଏହା ସହିତ ସେ ପ୍ରଶ୍ନ ଉଠାଇଛନ୍ତି ଯେ ଦଳର ବରିଷ୍ଠ ନେତାମାନେ କିମ୍ବା
ପଲିଟିକାଲ୍ ଆଫେୟାର୍ସ କମିଟି କୁ ଏହି ଫାଉଣ୍ଡେସନ୍ ଗଠନ
ସମ୍ପର୍କରେ ଅବଗତ କରାଯାଇଥିଲା କି ନାହିଁ।
ଶ୍ରୀମୟୀ ମିଶ୍ର ଆହୁରି କହିଛନ୍ତି ଯେ ପ୍ରବାଦପୁରୁଷ ବିଜୁ
ପଟ୍ଟନାୟକ ନିଜ ଜୀବନ ଓଡ଼ିଶା ପାଇଁ
ସମର୍ପିତ କରିଥିଲେ, କିନ୍ତୁ ତାଙ୍କ ଓ
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମରେ ଗଠିତ ଏହି ଫାଉଣ୍ଡେସନ୍ କାହିଁକି କେବଳ
ଦିଲ୍ଲୀକେନ୍ଦ୍ରିକ ହେବାକୁ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଏହାର ଠିକଣା
ନୂଆଦିଲ୍ଲୀରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ହୋଇଥାଏ, ତେବେ ଏହା
ସମ୍ପର୍କରେ ସେ ସ୍ପଷ୍ଟୀକରଣ ଦେଇ ସନ୍ଦେହ ଦୂର କରିବା ଉଚିତ୍ ବୋଲି ସେ କହିଛନ୍ତି।
ସେ ଏହାମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଫାଉଣ୍ଡେସନ୍ଟି
କାହିଁକି ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ–୧୮୮୨ ଅନୁଯାୟୀ
ଗଠିତ ହେଲା ଓ ଏହାକୁ ଓଡ଼ିଶାକେନ୍ଦ୍ରିକ ଆଇନ ଅନୁଯାୟୀ କାହିଁକି ଗଢ଼ାଯାଇନଥିଲା। ଏହା ପଛରେ
ବଡ଼ ଧରଣର ଆର୍ଥିକ ହେରଫେରର ଯୋଜନା ଥିବା ସନ୍ଦେହ ମଧ୍ୟ ସେ ବ୍ୟକ୍ତ କରିଛନ୍ତି।
ଶ୍ରୀମୟୀ ମିଶ୍ର ଦାବି କରିଛନ୍ତି ଯେ ଯଦି କେହି ଭୁଲ
କିମ୍ବା ଅସମ୍ପୂର୍ଣ୍ଣ ସତ୍ୟପାଠ (ଆଫିଡେଭିଟ୍) ଦେଇଥିବେ, ତେବେ ସେହି
ବ୍ୟକ୍ତିଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରି ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ
ନିଆଯିବା ଉଚିତ୍।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ