
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ଚଳିତ ବର୍ଷ ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ସଭାପତି ଡାକ୍ତର ହରେକୃଷ୍ଣ ନାୟକଙ୍କୁ ଜୀବନବ୍ୟାପୀ ଉତ୍ସର୍ଗୀକୃତ ସେବା ଓ ସାଧନାର ସ୍ୱୀକୃତିସ୍ୱରୂପ ଭଦ୍ରକ ନାଗରିକ ସମାଜ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯଶସ୍ୱୀ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ ଭଦ୍ରକର ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ କଳ୍ପନା ଦେବୀ ବୃଦ୍ଧାଶ୍ରମ ଡାକ୍ତର ନାୟକଙ୍କ ଉତ୍ସର୍ଗୀକୃତ ସେବାର ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ଅଭିମତ ଦେଇଥିଲେ । ଯେଉଁ ସମୟରେ ବରିଷ୍ଠମାନେ ପରିବାରରେ ଅଲୋଡ଼ା ହୋଇ ଅସହାୟ ଓ ନିରାଶ୍ରୟ ମଣୁଛନ୍ତି, ସେହି କ୍ଷେତ୍ରରେ ଏହି ବୃଦ୍ଧାଶ୍ରମ ସେମାନଙ୍କ ସୁଖ ଓ ସ୍ୱାଚ୍ଛନ୍ଦ୍ୟର ଆଶ୍ରୟସ୍ଥଳୀରେ ପରିଣତ ହୋଇଯାଉଛି । ସମ୍ମାନିତ ଅତିଥି ଭାବେ ଭଦ୍ରକର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ନାୟକ ଏବଂ ଯାଜପୁରର କାର୍ତିକ ଚନ୍ଦ୍ର ରାଉତ, ଡାକ୍ତର ହରେକୃଷ୍ଣ ନାୟକ ଜୀବନର ଆଦ୍ୟ ସୋପାନରେ ଭଦ୍ରକରେ ପ୍ରଥମ ନର୍ସିଂହୋମ୍ ଏବଂ ଅଲ୍ଟ୍ରସାଉଣ୍ଡ କ୍ଳିନିକ ପ୍ରତିଷ୍ଠା କରି କିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିଲେ, ତାହାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ କ୍ୟାପଟେନ ସୁଦୀପ ସାହୁ ତାଙ୍କ କର୍ମକ୍ଷେତ୍ରରେ ଡାକ୍ତରମାନେ କିପରି ସମଗ୍ର କ୍ୟାମ୍ପ ନିମନ୍ତେ ଜୀବନରେଖା ଭାବେ କାର୍ଯ୍ୟ କରନ୍ତି, ନିଜ ଅନୁଭୂତିରୁ ତାହାର ଦୃଷ୍ଟାନ୍ତ ଦେଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଡାକ୍ତର ହରେକୃଷ୍ଣ ନାୟକ ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି ସାଧାରଣ ଜନତାଙ୍କର ସେବା କରିବା ପାଇଁ ସେ ଯେଉଁ ସଂକଳ୍ପ ନେଇଥିଲେ , ତାହା ବୃହତର କ୍ଷେତ୍ରରେ ତାଙ୍କୁ ଅନୁଗୃହୀତ କରିଛି ବୋଲି ସ୍ୱୀକାର କରିଥିଲେ । ଜୀବନର ଅନ୍ତିମ ମୁହୂର୍ତ ପର୍ଯ୍ୟନ୍ତ ସେହି ପଥରେ ଅଟଳ ରହିବେ ବୋଲି ସେ ଆଉଥରେ ସଂକଳ୍ପ ନେଇଥିଲେ । ଏହି ସମ୍ବର୍ଦ୍ଧନା ସମାରୋହରେ ରୋଟାରୀୟାନ ଅଭିଜିତ ନାୟକ ମଂଚ ପରିଚାଳନା କରିଥିଲାବେଳେ ସମାଜସେବୀ ସୁଧାକର ରାଉତ ମଂଚ ଆମନ୍ତ୍ରଣ କରିଥିଲେ । ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଭାଗ୍ୟଶ୍ରୀ ପଣ୍ଡା ଡାକ୍ତର ନାୟକଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ସମାରୋହରେ ଭଦ୍ରକ ରୋଟାରୀ କ୍ଳବ, ଇନରହୁଇଲ କ୍ଳବ, ଲାୟନସ୍ କ୍ଳବ ଭଦ୍ରକାଳୀ, ବୁଢ଼ା ଗଣେଶ କୂଜା କମିଟି, ତେଜସ୍ୱିନୀ ମହିଳା ସଂଘ, ଭଦ୍ରକ ସାମ୍ବାଦିକ ସଂଘ, ଗାନ୍ଧୀ ବିଚାର ମଂଚ,ଭଦ୍ରକ ସାହିତ୍ୟ ପରିଷଦ, ଭାରତୀୟ ଚିକିତ୍ସକ ସଂଘ,କଟକ, ବରିଷ୍ଠ ନାଗରିକ ମହାସଂଘ ତରଫରୁ ଡାକ୍ତର ନାୟକଙ୍କୁ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ରାଜନେତା ଚନ୍ଦ୍ରଶେଖର ନାୟକ ଏବଂ ଡାକ୍ତର ବକ୍ତାବର ଡାକ୍ତର ନାୟକଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । ସମାରୋହକୁ ସଫଳତାର ସହ ପରିଚାଳନା କରିଥିଲେ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଡାକ୍ତର ବିକାଶ ନନ୍ଦ, ଇଂ ବସନ୍ତ କୁମାର ପାଣିଗ୍ରାହୀ, ଅଂଜନା ମିଶ୍ର, ଜଗନ୍ନାଥ ରାଉତ, ବୈଲୋଚନ ବେଉରିଆ, ଶାନ୍ତନୁ କୁମାର ରାଉତ,ସ୍ନେହଲତା ବେହେରା । ସମାରୋହରେ ଭଦ୍ରକର ଶତାଧିକ ବୁଦ୍ଧିଜୀବୀ ଯୋଗଦେଇଥିଲାବେଳେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଦିଲ୍ଲୀପ କୁମାର ନାୟକ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ