
ସୁବର୍ଣ୍ଣପୁର, ୧୬ ମାର୍ଚ୍ଚ (ହି.ସ.)- ଆସନ୍ତା ଅପ୍ରେଲ ୧ ରୁ ଓଡିଶାରେ ଭୋଟର ତାଲିକାର ସାମ୍ଭାବ୍ୟସ୍ଵତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ନିମନ୍ତେ ୬୫-ସୋନପୁର ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଭାବେ ପୂର୍ବ ପ୍ରସ୍ତୁତି ହୋଇଥିବା ଆଜି ଡଃ. ସୌମ୍ୟା ରୂପା ରଥ, ଓ. ପ୍ର. ସେ. ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ୬୫-ସୋନପୁର ନିର୍ବାଚନ ମଣ୍ଡଳୀ ଜଣାଇଛନ୍ତି । ଦୀର୍ଘ ଦୁଇରୁ ଅଢେଇ ମାସ ଧରି ଚାଲିବାକୁଥିବା ଏହି ପ୍ରକ୍ରିୟାରେ ଭୋଟର ତାଲିକାରେ ସ୍ଵଚ୍ଛତା ଆଣିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ଅନୁସାରେ ଏସଆଇଆର କରାଯାଉଛି । ସଠିକ ଭୋଟର ତାଲିକା ତିଆରି କରିବା କ୍ଷେତ୍ରରେ ଏସଆଇଆର ଗୋଟିଏ ସୋପାନ । ୨୦୦୨ ପରେ ଦୀର୍ଘ ୨୩ ବର୍ଷ ମଧ୍ୟରେ ପୁଣିଥରେ ଏସଆଇଆର ହେବାକୁ ଯାଉଛି । ଏହି ଏସଆଇଆରରେ ୨୦୦୨ ମସିହା ଭୋଟର ତାଲିକା ସହ ୨୦୨୫ ଭୋଟର ତାଲିକାରୁ ମେଳ(ମ୍ୟାପିଂ) କରାଯିବ । ଯେଉଁ ଭୋଟର ମାନଙ୍କ ନିଜ ନାମ କିମ୍ବା ବାପା, ଜେଜେ ବାପାଙ୍କ ନାମ ୨୦୦୨ ଭୋଟର ତାଲିକାରେ ଥିବ ସେମାନଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡିବ ନାହିଁ । ଯେଉଁ ଭୋଟର ମାନଙ୍କ ନିଜ ନାମ କିମ୍ବା ବାପା, ଜେଜେ ବାପାଙ୍କ ନାମ ନ ଥିବ ସେମାନେ ନିର୍ବାଚନ କମିଶନଙ୍କ ନିୟମାନୁଯାୟୀ ଆବଶ୍ୟକ ପ୍ରମାଣ ପତ୍ର ଦାଖଲ କରିବେ । ବର୍ତ୍ତମାନ ୬୫-ସୋନପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨,୫୬,୭୮୧ ଜଣ ଭୋଟର ଥିବା ସ୍ଥଳେ ୨,୩୯,୨୧୫ ଜଣଙ୍କ ମ୍ୟାପିଂ ଅର୍ଥାତ ୯୩.୮୧ % ସରିଗଲାଣି ତଥା ମ୍ୟାପିଂ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏହାକୁ ୧୦୦ ପ୍ରତିଶତ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଉପରୋକ୍ତ କାର୍ଯ୍ୟକୁ କ୍ଷେତ୍ର ସ୍ତରରେ ସୂପରିଚାଳନା ନିମନ୍ତେ ୩୧୯ ବୁଥ ପାଇଁ ୩୧୯ ଜଣ ବୁଥ ସ୍ତରୀୟ ଅଧିକାରୀ ଏବଂ ୩୨ ଜଣ ବୁଥ ସ୍ତରୀୟ ଅଧିକାରୀ ପର୍ଯ୍ୟବେକ୍ଷକ ନିୟୋଜିତ ଅଛନ୍ତି, ଏମାନଙ୍କୁ ପୂର୍ବରୁ ଏହି କାର୍ଯ୍ୟ ନିମନ୍ତେ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା । ଉପରୋକ୍ତ ବୁଥ ସ୍ତରୀୟଅଧିକାରୀ ଏବଂ ବୁଥ ସ୍ତରୀୟଅଧିକାରୀ ପର୍ଯ୍ୟବେକ୍ଷକଙ୍କୁ ଆବଶ୍ୟକ ସହଯୋଗ ନିମନ୍ତେ ୩୧୯ ଜଣ ସ୍ଵେଚ୍ଛାସେବୀଙ୍କୁ ମନୋନୀତ କରାଯାଇଛି ଏବଂ ଏହି ସ୍ଵେଚ୍ଛାସେବୀମାନଙ୍କୁ ମାର୍ଚ୍ଚ ତା ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ । ଏହି ଏସଆଇଆର ଦ୍ୱାରା ମୃତ ଭୋଟର, ସ୍ତାନାନ୍ତରିତ ଭୋଟର ମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ଦିଆଯିବ ଯଦ୍ୱାରା ଏକ ସ୍ଵଚ୍ଛ ଭୋଟର ତାଲିକା ପ୍ରସ୍ତୁତ ହୋଇ ପାରିବ । ଏହି ତାଲିକାରେ କାହାର ନାମ କଟି ଯାଇଥିଲେ ସେମାନେ ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରଥମେ ଅଭିଯୋଗ କରିପାରିବେ । ସେମାନେ ସମସ୍ୟାର ସମାଧାନ କରିନପାରିଲେ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଜିଲ୍ଲାପାଳ ଓ ପରବର୍ତ୍ତୀ ସମୟରେ ମୂଖ୍ୟ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଓଡ଼ିଶା ପାଖରେ ଅଭିଯୋଗ ପତ୍ର ଦାଖଲ କରାଯାଇପାରିବ । କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ପଡ଼ିବେ ନାହିଁ ସେଥି ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଉଥିବା ଡ଼ଃ. ସୌମ୍ୟା ରୂପା ରଥ, ଓ. ପ୍ର. ସେ. ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ପ୍ରକାଶ କରିଥିଲେ । ସ୍ଵତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସରିବାପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଏଥି ନିମନ୍ତେ ରାଜ୍ୟସ୍ତରରେ ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କର ତାଲିମ ମୂଖ୍ୟ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଓଡ଼ିଶାଙ୍କ ଦ୍ଵାରା ସମ୍ପୂର୍ଣ ହୋଇସାରିଛି । ଏଥିରେ 65-ସୋନପୁର ନିର୍ବାଚନ ମଣ୍ଡଳୀ ର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ, ସୋନପୁରଙ୍କ ସମେତ ଅନ୍ୟ ୬ ଜଣ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଅଂଶଗ୍ରହଣ କରି ଗତ ତା-୧୧.୦୩.୨୦୨୬ ଦିନ ଭୁବନେଶ୍ଵରର ଆରଓଟିଆଇ ଠାରେ ତାଲିମ ପ୍ରାପ୍ତ ହୋଇ ଫେରିଛନ୍ତି ।
ଏହି ଏସଆଇଆର ପ୍ରକ୍ରିୟାରେ ଆମେ ସମସ୍ତ ଯୋଗ୍ୟ ଭୋଟରମାନଙ୍କ ସହଯୋଗ କାମନା କରୁଛୁ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ