
ଭୁବନେଶ୍ୱର, ୧୬ ମାର୍ଚ୍ଚ (ହି.ସ)- ଶିକ୍ଷା ଅଧିକାର ଆଇନ୍ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ôଥକ ଅନଗ୍ରସର ଶ୍ରେଣୀ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଆରଟି.ଇ ପାରଦର୍ଶୀ ପୋର୍ଟାଲ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି ।
ତେବେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନିମନ୍ତେ ଫେବୃଆରୀ ୧୦ ତାରିଖରୁ ଆରମ୍ଭ କରି ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ । ୪୪୩୮ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୫୪୩୫୫ ସିଟ୍ ପାଇଁ ସମୁଦାୟ ୪୪୭୭୭ ଅନଲାଇନ୍ ଆବେଦନ ଗ୍ରହଣ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣ ପତ୍ର ଯାଂଚ କରି ୩୫୮୦୦ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ ।
ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ପ୍ରାଥମିକ ନିର୍ଦ୍ଦେଶକଙ୍କ ଦ୍ୱାରା ଚୟନ କରାଯାଇଥିଲା । ୨୭୩୭୦ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ ।
ବେସରକାରୀ ବିଦ୍ୟାଳୟଗୁଡ଼ିକରେ ମାର୍ଚ୍ଚ ୧୭ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ନାମ ଲେଖାଯିବ। ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏକ ସହାୟତା ନମ୍ବର- ୧୮୦୦୩୪୫୬୭୨୨ ମଧ୍ୟ ଜାରି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା