

ସମ୍ବଲପୁର,୧୮ ମାର୍ଚ୍ଚ(ହି.ସ.) – ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ଏବଂ 'ମିଶନ ବାତ୍ସଲ୍ୟ' ଯୋଜନାର ସଫଳ ରୂପାୟନ ନେଇ ଏକ ଦିନିକିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକ, ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟୁନିସେଫ୍ ର ଶିଶୁ ସୁରକ୍ଷା ପରାମର୍ଶଦାତା ଘସିରାମ ପଣ୍ଡା ମୁଖ୍ୟ ସମ୍ପାଦକ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ 'ମିଶନ ବାତ୍ସଲ୍ୟ' ଯୋଜନାର ବିଭିନ୍ନ ଦିଗ ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏହାପରେ ପୋଷ୍ୟ ସନ୍ତାନ ଅଧିନିୟମ ୨୦୨୨ ଏବଂ ବେଆଇନ ପୋଷ୍ୟତାକୁ ରୋକିବା ପାଇଁ ରହିଥିବା ସରକାରୀ ନିୟମାବଳୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରାଜ୍ୟ ପରାମର୍ଶଦାତା(ୟୁନିସେଫ) ଘାସିରାମ ପଣ୍ଡା ଓ ଏଡ୍ ଆଣ୍ଡ ଆକ୍ସନ ପକ୍ଷରୁ ପରାମର୍ଶଦାତ୍ରୀ ସୁନୀତା ତ୍ରିପାଠୀ ସମ୍ପଦ ବ୍ୟକ୍ତି ଭାବେ ଯୋଗଦେଇ ‘କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ)ଜୁଭେନାଇଲ୍ ଜଷ୍ଟିସ୍ (କେୟାର ଏଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍)’,ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ” ଏବଂ ୧୦୯୮ ଚାଇଲ୍ଡ ହେଲ୍ପଲାଇନ୍ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଜିଲ୍ଲା ସମାଜ କଳ୍ୟାଣ ଅଧିକାରିଣୀ ସରୋଜା ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରିଣୀ ସଞ୍ଜୁକ୍ତା କୁଲ୍ଲୁ, ସୋସିଆଲ୍ ୱେଲଫେର ଅଧିକାରିଣୀ ପ୍ରତିମା ତାନ୍ତିଙ୍କ ସହ ଅନ୍ୟାନ୍ୟ ଗରିମାମୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣରେ ସମସ୍ତ ସିଡିପିଓ, ପ୍ରୋଗ୍ରାମ ଅଫିସର, ସୁପରଭାଇଜର, ସିଡବ୍ଲୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସହିତ ବିଭିନ୍ନ ଶିଶୁ ଯତ୍ନ ସଂସ୍ଥା, ଶକ୍ତି ସଦନ, ଓନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଆୟୋଜିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ