
କେନ୍ଦ୍ରାପଡା, ୧୯ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ସୋଵଳା ଗ୍ରାମ ସ୍ଥିତ ଶ୍ରୀ ଭଗବାନ ମହାପୁରୁଷଙ୍କ ମଠ ପରିସରରେ ଦୀର୍ଘ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ନବ ଦିନାତ୍ମକ ଭାଗବତ ପାରାୟଣ ମହୋତ୍ସବ ଉଦଯାପିତ ହୋଇଯାଇଛି। ଭଜନ ସମ୍ରାଟ ଭିକାରୀ ବଳଙ୍କ ଜନ୍ମ ସ୍ଥାନ ସୋବଳାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମର ପ୍ରଥମ ଏବଂ ପୂର୍ଣ୍ଣାହୁତି ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଭାବପୂର୍ଣ୍ଣ ଭଜନ ଏବଂ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରାଯାଇଥିଲା। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ଭଗବାନ ମହାପୁରୁଷ, ବାସୁଦେବ ଗୋସାଇଁଙ୍କୁ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ଉପସ୍ଥିତ କଳାକାରମାନେ ଭଜନ ସମ୍ରାଟ ଭିକାରୀ ବଳ ଏବଂ ବିଶିଷ୍ଟ ବେହେଲା ବାଦକ ସୁନାକର ସାହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନୃତ୍ୟ ଶିଳ୍ପୀ ପ୍ରତୀକ୍ଷା ନାୟକ, ଅଙ୍କିତା ପରିଡା, ରାଜଲକ୍ଷ୍ମୀ ପରିଡା, ଅଙ୍କିତା ସାହୁ, ଅର୍ପିତା ସାହୁ, ଅଭିଲିପ୍ସା ସାହୁ ପ୍ରମୁଖ ଚିତ୍ତାକର୍ଷକ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କୁ ବିମୋହିତ କରିଥିଲେ। ରଞ୍ଜନ ବରାଳ, କୈଳାସ ପରିଡା ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ। ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ କେଣେ ଘେନି ଯାଉଛ, ଗୋ ରାଧେ ବଂଶୀଟି ଆମର ଦିଅ, ମେଘ ମାଳାକୁ ନିନ୍ଦେ କଳାକୁ, ମୋହ ମନ ଇତ୍ୟାଦି ଭଜନ ଗାଇ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ଏହି ଅବସରରେ ବିଭିନ୍ନ ସନ୍ଧ୍ୟାରେ ଗୁରୁ ରବୀନ୍ଦ୍ର ନାଥ ମିଶ୍ରଙ୍କ ନେତୃତ୍ୱରେ ସ୍ଵରତୀର୍ଥ ଏବଂ ସ୍ଵର ମହ୍ଲାର କଳାକାରମାନେ ଭଜନ ପରିବେଷଣ କରିଥିଲେ। ବାୟା ନନା ନବ ଦିନାତ୍ମକ ଭାଗବତ ପାରାୟଣ କାର୍ଯ୍ୟ ସମ୍ପାଦନ କରିଥିଲେ। ଶେଷରେ ପ୍ରସନ୍ନ କୁମାର ପରିଡ଼ାଙ୍କ ସୁପୁତ୍ର ବିଭୁ ପ୍ରସାଦ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି