
କେନ୍ଦ୍ରାପଡା, ୧୯ ମାର୍ଚ୍ଚ (ହି.ସ.)- ସୂକ୍ଷ୍ମ, ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର- ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ବ୍ଲକ୍ ରେ ଚାଲୁଥିବା ସରକାରୀ ଯୋଜନା ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥଳ ପରିଦର୍ଶନ କରିଥିଲେ। ଗସ୍ତ ଅବସରରେ ସେ ଡେରାବିଶ ଓ କେନ୍ଦ୍ରାପଡା ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା,ବସୁଧା ପାନୀୟ ଜଳ ଯୋଜନା, ଓଡ଼ିଶା ଜୀବିକା ମିଶନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର,ମିଶନ ଶକ୍ତି, ବିକଶିତ ଗାଁ ବିକଶିତ ଓଡ଼ିଶା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ କାର୍ୟ୍ୟକଳାପର ଅଗ୍ରଗତି ସମୀକ୍ଷା କରିଥିଲେ। ସେହିପରି ନିକିରାଇ ଗ୍ରାମପଞ୍ଚାୟତରେ ମୁଗ ଡେମୋନଷ୍ଟ୍ରେସନ, ଜୁଟ୍ ଟ୍ରେନିଂ ସେଣ୍ଟର ବୁଲି ଦେଖିଛନ୍ତି। ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଗସ୍ତ କରି ବିଭିନ୍ନ ଯୋଜନା ଓ ଚାଲିଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥିଲେ।
ଗସ୍ତ ସମୟରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକୃଷ୍ଣ ଜେନାଙ୍କ ସମେତ ସମ୍ପର୍କିତ ବିଭାଗୀୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କମିଶନର କ୍ଷେତ୍ରସ୍ତରରେ ଯୋଜନାମାନଙ୍କର କାର୍ୟ୍ୟାନ୍ବୟନ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଗୁଣାତ୍ମକ ଓ ସମୟୋପଯୁକ୍ତ କାର୍ୟ୍ୟ ସୁନିଶ୍ଚିତ କରିବାକୁ ସମ୍ପର୍କିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି