
ଭଦ୍ରକ, ୧୯ ମାର୍ଚ୍ଚ (ହି.ସ.) - ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଓ ଠିକ୍ ସମୟରେ ବଦଳି ନିୟମକୁ ଧାମନଗର ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ଜଣେ ସ୍ଥାନରେ ୩ ବର୍ଷରୁ ଅଧିକ ରହିବା ଅନୁଚିତ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବା ବେଳେ, ଧାମନଗରରେ କନିଷ୍ଠଯନ୍ତ୍ରୀ ଜସ୍ନିନି ଦାସ ଦୀର୍ଘ ୪ ବର୍ଷ ହେବ ନିଜ ପଦବୀରେ ଅଟଳ ରହିଛନ୍ତି। ରାଜନୈତିକ ପ୍ରଭାବ ଖଟାଇ ସେ ନିଜର ବଦଳି କରୁନଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଯନ୍ତ୍ରୀଙ୍କ ଦୀର୍ଘକାଳୀନ ଅବସ୍ଥାନ କାଳରେ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ସେଥିରୁ ଲୋକଙ୍କୁ ଟୋପାଏ ପାଣି ମିଳୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି। ଫଳରେ ଆଗକୁ ଖରାଦିନ ଆସୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ପାନୀୟ ଜଳ ଯୋଗାଣରେ ସୁଧାର ଆଣିବା ପରିବର୍ତେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି। କେତେକ ପୁରୁଣା ଟାଙ୍କିରେ କେବଳ ରଙ୍ଗ ମାରି ନୂଆ ପରି ଦେଖାଇ ସରକାରୀ ଅର୍ଥ ଆତ୍ମସାତ କରିବାକୁ ଯୋଜନା ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରକୃତ ସମସ୍ୟାର ସମାଧାନ ନକରି କେବଳ ବାହ୍ୟ ଚମକ ଦେଖାଇ ବିଲ୍ ପାସ୍ କରିବାକୁ ଚକ୍ରାନ୍ତ କରାଯାଉଥିବା କୁହାଯାଉଛି।ସରକାରୀ ନିୟମ ଅନୁସାରେ ୩ ବର୍ଷରେ ବଦଳି ହେବା କଥା, କିନ୍ତୁ ୪ ବର୍ଷ ହେଲା କେଉଁ ସ୍ୱାର୍ଥରେ ଏହି ଯନ୍ତ୍ରୀ ଜଣକ ଏଠାରେ ରହିଛନ୍ତି। ଏହା ପଛରେ କେଉଁ ପ୍ରଭାବଶାଳୀ ନେତାଙ୍କ ହାତ ରହିଛି। ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି। ଯଦି ଖରାଦିନ ପୂର୍ବରୁ ପାଣି ସମସ୍ୟାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ ଙ୍କୁ ଟୁଇଟି ଯୋଗେ ଅଭିଯୋଗ କରା ଯାଇଥିଲା,ଘଟଣା ର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ