
ମାଲକାନଗିରି, ୧୯ ମାର୍ଚ୍ଚ (ହି.ସ.)-
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପୁଣି ଚାଷୀ ଆନ୍ଦୋଳନ । ଧାନକିଣାକୁ ନେଇ ବ୍ଲକ ବ୍ୟାପୀ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ପୋଟେରୁ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ରାଜରାସ୍ତାକୁ ଆଜି ଓହ୍ଲାଇଛନ୍ତି ଚାଷୀ । ମଣ୍ଡିରେ ଟୋକନ ସମସ୍ୟା ସହ ଧାନ ବିକ୍ରି ହୋଇପାରୁନଥିବାରୁ ମାଲକାନଗିରି - ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ ନିକଟରେ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ ଚାଷୀ । ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ମଣ୍ଡିରେ ଚାଷୀଙ୍କ ଟୋକନ୍ ରେ ବେପାରୀ ଧାନ କିଣି ମାଲେମାଲ ହେବା, ପ୍ରକୃତ ଚାଷୀ ଏଯାଏ ଧାନ ବିକି ନ ପାରିବା, ମିଲର୍ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ବ୍ୟାପକ କଟନୀ ଛଟନୀ ଭଳି ଯାବତୀୟ କେଳେଙ୍କାରୀ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ଖବର ପାଇ କାଲିମେଳା ପୋଲିସ ଓ କାଲିମେଳା ଯୋଗାଣ ନୀରିକ୍ଷକ ଚିନ୍ମୟ ସାହୁ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ