ଐତିହାସିକ ଗୋହିରାଟିକିରିରେ ପ୍ରଶାସନିକ ନିଷ୍ପତିକୁ ଜନ ବିରୋଧ, ପର୍ଯ୍ୟଟକ ସୁବିଧା କେନ୍ଦ୍ରକୁ ପାଠାଗାର କରିବାକୁ ନେଇ ଅସନ୍ତୋଷ
ଭଦ୍ରକ, ୧୯ ମାର୍ଚ୍ଚ (ହି.ସ.) - ଓଡ଼ିଶାର ଐତିହାସିକ ଯୁଦ୍ଧ କ୍ଷେତ୍ର ଧାମନଗର ବ୍ଲକ ମୁସ୍ତଫାପୁର ର ଗୋହିରାଟିକିରି ପୀଠରେ ପ୍ରଶାସନିକ ନିଷ୍ପତିକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ୨୦୧୯ ମସିହାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଥିଲା। ସେହି ଘର କ
GOHIRA TIKIRI NISPATI JANA BIRODH


ଭଦ୍ରକ, ୧୯ ମାର୍ଚ୍ଚ (ହି.ସ.) - ଓଡ଼ିଶାର ଐତିହାସିକ ଯୁଦ୍ଧ କ୍ଷେତ୍ର ଧାମନଗର ବ୍ଲକ ମୁସ୍ତଫାପୁର ର ଗୋହିରାଟିକିରି ପୀଠରେ ପ୍ରଶାସନିକ ନିଷ୍ପତିକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ୨୦୧୯ ମସିହାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଥିଲା। ସେହି ଘର କୁ ପାଠାଗାରରେ ରୂପାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଉଥିବା ପ୍ରୟାସ କୁ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି। ୨୦୧୬ ନଭେମ୍ବରରେ ଗୋହିରାଟିକିରି କୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ପରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ତତ୍କାଳୀନ ସରକାର ୨୦୧୯ରେ ଏକ ସୁବିଧା କେନ୍ଦ୍ର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ୨୦୨୨ରେ ଏହାର ନିର୍ମାଣ ଶେଷ ହେବା ପରେ ଏହା କଲ୍ୟାଣ ମଣ୍ଡପ ଭାବେ ବ୍ୟବହୃତ ହେଉଥିଲା। ବିଶେଷ କରି ବନ୍ୟା ପ୍ରଭାବିତ ଓ ଅନୁନ୍ନତ ଏହି ଅଂଚଳରେ ସ୍ଥାନୀୟ ଲୋକେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ପାଇଁ ଏହି ଗୃହ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। ରାଜ୍ୟରେ ନୂତନ ସରକାର ଆସିବା ପରେ ଗୋହିରାଟିକିରିର ବିକାଶ ପାଇଁ ପ୍ରାୟ ୨୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଯୋଜନାରେ ଏକ ଅତ୍ୟାଧୁନିକ ପାଠାଗାର ନିର୍ମାଣ ମଧ୍ୟ ସାମିଲ ଅଛି, ଯାହାର ଭିତିପ୍ରସ୍ତର ଗତ ୨୦୨୫ ଜୁନ ୨ ତାରିଖ ରେ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦ୍ୱାରା ଆଭାସି ମାଧ୍ୟମରେ କରାଯାଇଥିଲା। ତେବେ ଗୁରୁବାର ଦିନ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , କାର୍ଯ୍ୟ ନିର୍ବାହୀ ସଂସ୍ଥା ଓ ଠିକାଦାରଙ୍କ ସହ ସେଠାରେ ପହଂଚି ପୁରୁଣା ସୁବିଧା କେନ୍ଦ୍ରକୁ ହିଁ ପାଠାଗାର କରିବାକୁ ଯୋଜନା କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ଗ୍ରାମବାସୀ ଶରତ ରାଉତ, ପଦ୍ମନାଭ ରାଉତ, ମଣିଭଦ୍ର ବିଶ୍ୱାଳ, ସଞ୍ଜୟ ପ୍ରଧାନ,ପିତାମ୍ବର ବିଶ୍ୱାଳ ପ୍ରମୁଖ ଏହାକୁ ବିରୋଧ କରିଥିଲେ।ନୂଆପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଅର୍ଥ ମଞ୍ଜୁର ହୋଇଥିବା ବେଳେ ପୁରୁଣା ପ୍ରକଳ୍ପକୁ କାହିଁକି ରୂପାନ୍ତରିତ କରାଯାଉଛି ବୋଲି ଅଭିଯୋଗ କରିଥିଲେ, ଗୋହିରାଟିକିରି ପୀଠରେ ଯଥେଷ୍ଟ ଜାଗା ଥିବା ସତ୍ୱେ ପୁରୁଣା କଲ୍ୟାଣ ମଣ୍ଡପକୁ କାହିଁକି ରୂପାନ୍ତରିତ କରିବାକୁ ଯୋଜନା ହେଉଛି ବୋଲି ପ୍ରଶ୍ନ ଉଠିଛି। ଏହି କଲ୍ୟାଣ ମଣ୍ଡପଟି ଗାଁର ଗରିବ ଲୋକଙ୍କ ପାଇଁ ବର୍ଷା ଦିନେ ସାମାଜିକ କାର୍ଯ୍ୟର ଏକମାତ୍ର ମାଧ୍ୟମ, ଏହାକୁ ପାଠାଗାର କଲେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଧାମନଗର ବିଡିଓ ବନବିହାରୀ ଦିନ୍ଦା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ଅଂଚଳରେ ଚାପା ଉତେଜନା ଲାଗି ରହିଛି। ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ବୀରଗାଥା ବହନ କରୁଥିବା ଏହି ପୀଠକୁ 'ଓଡ଼ିଶାର ହଳଦୀଘାଟ' କୁହାଯାଏ। ପୌରାଣିକ ମାନ୍ୟତା ଓ ମାଳିକା ବଚନର ଅର୍ଜୁନ ଗଛ ପାଇଁ ଏଠାକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି। ଏଭଳି ଏକ ସ୍ଥାନରେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ନରଖି କରାଯାଉଥିବା ପ୍ରଶାସନିକ ନିଷ୍ପତିକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ଦିଗରେ ଜିଲ୍ଲାପାଳ ଘଟଣା ସ୍ଥଳ କୁ ଆସି ସଧାରଣ ଲୋକ ଙ୍କ ମତ ନେଇ କାର୍ଯ୍ୟ କରିବାକୁ ଧାମନଗର ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ତଥା ସ୍ଥାନୀୟ ବାସିନ୍ଦା ଜଗବନ୍ଧୁ ପ୍ରଧାନ ଅନୁରୋଧ କରିଛନ୍ତି,ସେହିପରି ସହିଦ ନଗର ଠାରେ ପର୍ଯ୍ୟଟନ ସ୍ଥଳ ସହିଧି ସ୍ମୃତି ପୀଠ କୁ ମଧ୍ୟ ଉପଜିଲ୍ଲାପାଳ ଗୁରୁବାର ଦିନ ପହଂଚି ସ୍ଥାନୀୟ ଲୋକ ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande