
ବଲାଙ୍ଗୀର,୧୯ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲାର ଦୁଇପ୍ରମୁଖ ପ୍ରସଙ୍ଗ ଯଥା ଲୋୟରସୁକତେଲ ଜଳସେଚନପ୍ରକଲ୍ପରେ ଜଳସେଚନ ଓ ବିସ୍ଥାପନସମସ୍ୟା ଏବଂ ଖଣିଖନନ ବିଷୟରେ ଓଡିଶା ବିଧାନସଭାରେ ଆଲୋଚନା ହୋଇଛି। ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଜଳସେଚନବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ଖଣି ଓ ଇସ୍ପାତମନ୍ତ୍ରୀ ବିଭୁତିଭୁଷଣ ଜେନାଙ୍କ ପ୍ରଶ୍ନ କରିଛନ୍ତି। ବିଧାୟକ ଶ୍ରୀ ସିଂଦେଓ ପ୍ରଶ୍ନକରିଥିଲେ ଯେ,ଲୋୟରସୁକତେଲ ଜଳସଚେନ ପ୍ରକଲ୍ପରେ ବ୍ୟୟଅଟକଳ କେତେ ବଢିଛି ଓ କେତେ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି। ଏହା ସହିତ କେତେ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ଦେଇ ଥଇଥାନ କରାଯାଇଛି ଓ ଆଉ କେତେ ବାକି ଲୋକଙ୍କୁ ଥଇଥାନ କରିବାର ଅଛି। ଏହାର ଉତରରେ ମୁଖ୍ୟମନ୍ତ୍ରୀ ତଥା ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ମୋହନଚରଣ ମାଝୀ ଉତର ରଖିଛନ୍ତି ଯେ,ଲୋୟରସୁକତେଲ ପ୍ରକଲ୍ପର ମୂଳଅଟକଳ ୨୧୭ କୋଟିରେ ଥିଲା। ତୃତୀୟଥର ପାଇଁ ଏହାର ଅଟକଳ ବଢି ଏବେ ୫୨୬୦ କୋଟି ଟଙ୍କାରେ ପହଂଚିଛି। ପ୍ରକଲ୍ପକାମ ୯୮% ସରିଛି ଓ ଆସନ୍ତା ୨୦୨୬ ଖରିଫରେ ଜିଲ୍ଲାର ୩୦,୯୬୫ ହେକ୍ଟର ଜମିକୁ ଜଳସେଚିତ କରିବାକୁ ପ୍ରସ୍ତୁତି ହୋଇଛି। ଏହି ପ୍ରକଲ୍ପରେ ମୋଟ୧୩,୬୦୭ ଏକର ଜମି ଅଧିଗ୍ରହଣ କରାଯାଇଛି। ସେଥିରେ ୧୫ଟି ଗ୍ରାମର ୫,୪୪୯ ଏକର ଜମିକୁ ୧୮୯୪ ଜମିଅଧିଗ୍ରହଣ ଆଇନରେ ଓ ୧୪ ଗ୍ରାମର ୪,୪୪୫ ଏକର ଜମିକୁ ୨୦୧୩ ଜମିଅଧିଗ୍ରହଣ ଆଇନ ଅନୁଯାୟୀ ଅଧିଗ୍ରହଣ କରାଯାଇଛି। ମୋଟ ୨୯ ଖଣ୍ଡ ଗ୍ରାମର ୧୧,୦୨୧ ପରିବାରକୁ ବିସ୍ଥାପିତ କରାଯାଇଛି। ବାକି କୁମିଆଁପାଲି ଗ୍ରାମର ୧୧୮ଟି ଆଦିବାସୀ ପରିବାରକୁ କ୍ଷତିପୂରଣ ଦେଇ ଥଇଥାନ କରାଯିବାକୁ କାର୍ଯ୍ୟଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଉତର ରଖିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାରେ ଜଳସେଚନହାର ବଢାଇବାକୁ ୧୬ଟି ବୃହତଉଠାଜଳସେଚନ ପ୍ରକଲ୍ପ ଯାହାକି ୧୭,୯୨୮ ହେକ୍ଟର ଜମିକୁ ଜଳସେଚିତ କରିବ କାମ ଚାଲିଛି। ୧୨୫ଟି କ୍ଷୁଦ୍ରଜଳସେଚନ ପ୍ରକଲ୍ପର ଉନ୍ନୟନକାମ ସହିତ ୫୪୫ ଚେକଡ୍ୟାମ ନିର୍ମାଣ ହୋଇଥିବା ବେଳେ ଆଉ ୬ଟି ଏମଆଇପି ଓ ୬୬ ଚେକଡ୍ୟାମ ନିର୍ମାଣ ଚାଲିଛି। ଏହା ଫଳରେ ମୋଟ ୨୪ ହଜାର ହେକ୍ଟରଜମିକୁ ଜଳସେଚନ କରାଯିବ। ବଲାଙ୍ଗୀର ଜିଲ୍ଲାର ବେଲପଡାରେ ଲୋୟରଲାନ୍ଥ ଡେମ ନିର୍ମାଣକାମ ଆରମ୍ଭ ହୋଇଛି ଯାହାକି ଆଗକୁ ୩୯୯୦ ହେକ୍ଟର ଜମିକୁ ଜଳସେଚିତ କରିବ ବୋଲି ଉତର ମିଳିଛି। ଠିକ ସେହିପରି ଖଣିଖନନ ପ୍ରସଙ୍ଗରେ କଳିକେଶ ପଚାରିଥିବା ପ୍ରଶ୍ନର ଉତରରେ ଖଣି ଓ ଇସ୍ପାତମନ୍ତ୍ରୀ ବିଭୁତିଭୂଷଣ ଜେନା କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାରେ ଏପର୍ଯନ୍ତ କେନ୍ଦ୍ରସରକାର ସାଲେପାଲି ଗ୍ରାଫାଇଟ ବ୍ଲକ,ଭରତବାହାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ,ଲରମ୍ଭା ଗ୍ରାଫାଇଟ ଓ ମାଙ୍ଗାନିଜବ୍ଲକ,କନାଇଟାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ ଏବଂ ରାଜ୍ୟସରକାର ତେଲିପଦର ପିପଲମୁଣ୍ଡା ଲୁକାପଡା ଚୁନପଥର ଖଣିକୁ ନିଲାମ କରିଛନ୍ତି ବୋଲି ଉତର ରଖିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟସରକାର ମିଶି ୧୨ଟି ଖଣି ନିଲାମ କରିସାରିଥିବା ବେଳେ ଆଉ ୧୨ଟି ଲଘୁଖଣି ନିଲାମ ପାଇଁ ଗତ ୪.୧୨.୨୦୨୫ରେ ନୋଟିସ ବାହାର କରିଛନ୍ତି। ଠିକ ସେହିପରି ୨୦୨୫-୨୬ରେ ଆଉ ୧୧ଟି ବଡ ଖଣି ନିଲାମ ପାଇଁ ଉଦ୍ୟମ ଚାଲିଛି ବୋଲି ଉତର ରଖିଛନ୍ତି। ଲଘୁଖଣିଜ ସମ୍ପଦ ଚୋରୀ ରୋକିବାକୁ ବଲାଙ୍ଗୀର ଜିଲ୍ଲାରେ ୫୫ଟି ପଥରକ୍ୱାରୀ ଓ ସୋନପୁର ଜିଲ୍ଲାର ୪ଟି ପଥରକ୍ୱାରୀରେ ଚଢାଉ କରାଯାଇ ନୋଟିସ କରିବା ସହିତ ଫାଇନ ମଧ୍ୟ ଅଦାୟ କରାଯାଇଛି। ଠିକ ସେହିପରି ଗତ ୨୦୨୪-୨୫ରେ ବଲାଙ୍ଗୀର ସର୍କଲ ପକ୍ଷରୁ ବିଭିନ୍ନ କ୍ରସର ଉପରେ ମଧ୍ୟ ଚଢାଉ କରାଯାଇଛି ବୋଲି ଉତର ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ