


ସମ୍ବଲପୁର, ୧୯, ମାର୍ଚ୍ଚ (ହି.ସ.)
ସମ୍ବଲପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଗୁଣୋତ୍ତର ବୃଦ୍ଧି ପାଇଁ କାୟାକଳ୍ପ ଯୋଜନା ଅଧୀନରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକ ମଧ୍ୟରୁ ବାମରା ବ୍ଲକରୁ ୨୩ଟି, ଧନକୌଡାରୁ ୧୧ଟି, ଜମନକିରାରୁ ୩୧ଟି, ଜୁଯୁମୁରାରୁ ୧୬ଟି, କୁଚିଣ୍ଡାରୁ ୨୬ଟି, ମାନେଶ୍ୱରରୁ ୧୨ଟି, ନାକଟିଦେଉଳରୁ ୯ଟି ଏବଂ ରେଢ଼ାଖୋଲରୁ ୧୧ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସଫଳତା ଅର୍ଜନ କରିଥିବା ଜଣାପଡିଛି। ଏହାସହ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ୭ଟି ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଶି ସର୍ବମୋଟ ୧୫୮ଟି କାୟାକଳ୍ପ ପୁରସ୍କାର ଅର୍ଜନ କରିଥିବା ଜଣାପଡିଛି ।
ଏହି ସଫଳତା ମଧ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବର୍ଗରେ ଧନକୌଡାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଗରେ କୁଚିଣ୍ଡା ବ୍ଲକର ଜଳଡିହିଁ ପ୍ରଥମ ସ୍ଥାନ ହାସଲ କରିଛି। ଲଇଡାଗୁନା ଦ୍ୱିତୀୟ ଏବଂ ଜମନକିରା ବ୍ଲକର ଡିମିରିମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛି। କାୟାକଳ୍ପ ଯୋଜନାରେ ସଫଳ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥାଏ, ଯାହା ସେମାନଙ୍କର ଆଧାରଭୂତ ସୁବିଧା ଓ ସେବାର ଉନ୍ନତି ପାଇଁ ବ୍ୟୟ କରାଯାଏ। ଏହି ସଫଳତାରେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏକତ୍ର ପ୍ରୟାସ ଏବଂ ସମର୍ପଣ ମୁଖ୍ୟ ଭୂମିକା ନେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ଯ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ହୋତା, ଡିପିଏମ୍ ମୃତ୍ୟୁଞ୍ଜୟ ମୁଣ୍ଡ, ଜିଲ୍ଲା କ୍ୱାଲିଟି ମ୍ୟାନେଜର ବୈଶାଳିନୀ ସାହୁ ଏବଂ ନାକଟିଦେଉଳ ବ୍ଲକର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଅମୁଲ୍ୟରତ୍ନ ମହନ୍ତଙ୍କ ନେତୃତ୍ୱ ଏଥିରେ ବିଶେଷ ଉଲ୍ଲେଖନୀୟ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଫଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଯିବା ସହିତ ଭବିଷ୍ୟତରେ ମଧ୍ୟ ଏଭଳି ଉତ୍କୃଷ୍ଟ ସେବା କେବଳ କୟାକଳ୍ପ ସମୟରେ ରେ ନୁହେଁ ସର୍ବଦା ପ୍ରଦାନ ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ