
ସମ୍ବଲପୁର, ୧୯, ମାର୍ଚ୍ଚ (ହି.ସ.)
ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ର ୨୦୨୫-୨୬ ପାଇଁ ଜିଲ୍ଲା ପରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଆଜି ଅପରାହ୍ନରେ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲିଙ୍ଗ ନିରୂପଣକୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୪ଟି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକର ସମୀକ୍ଷା କରାଯାଇଥିଲା ଏବଂ କମିଟିର ନିର୍ଦ୍ଦେଶ କ୍ରମେ ଏହାର ପଞ୍ଜୀକରଣ ପାଇଁ ଆବେଦନ କରାଯାଇଛି । ସୂଚନାଯୋଗ୍ୟ ଜିଲ୍ଲା ରାଜସ୍ୱ ପାଣ୍ଠିରୁ ଆବଶ୍ୟକତା ରାଶି ପ୍ରଶାସନିକ, ଡାକ୍ତରଖାନା ଏବଂ ବିଭିନ୍ନ ଅଞ୍ଚଳରେ ଜନ ସଚେତନ କରାଇବା ପାଇଁ ନିଷ୍ପତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣ ହତ୍ୟା ସମ୍ବନ୍ଧିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି । ଆଜିର ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ହୋତା, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଂଯୋଜକ, ଶକ୍ତି ସଦନର ସଦସ୍ଯା, ସରକାରୀ ଓକିଲ, ବିପିଏଲ୍, ଏନ୍ଏଚ୍ଏମ୍ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାର ସମସ୍ତ ତଥ୍ୟକୁ ନେଇ ଆଇନ ବ୍ୟାପାର ବିଭାଗ ସହକାରୀ ପରିଚାଳକ ବୁଧରଞ୍ଜନ ଭୋଇ ଉପସ୍ଥାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ