ପୁନର୍ବାସ ପକ୍ଷରୁ ଇଣ୍ଟରସିପ୍ ପ୍ରଶିକ୍ଷଣ
କେନ୍ଦ୍ରାପଡା, ୧୯ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ଵ କାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର +୩ ଦ୍ଵିତୀୟ ବର୍ଷର ଛାତ୍ରୀଙ
ପୁନର୍ବାସ ପକ୍ଷରୁ ଇଣ୍ଟରସିପ୍ ପ୍ରଶିକ୍ଷଣ


କେନ୍ଦ୍ରାପଡା, ୧୯ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ଵ କାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର +୩ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ କରାଯାଇଛି । ଜାତୀୟ ଶିକ୍ଷାନୀତି-୨୦୨୦ ଅନ୍ତର୍ଗତ ପାଠ୍ୟସୂଚୀ ଅନୁଯାୟୀ ମହାବିଦ୍ୟାଳୟର +୩ ଚତୁର୍ଥ ସେମିଷ୍ଟାର ଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୨୦ ଘଣ୍ଟାର ଏକ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣର ପ୍ରାବଧାନ କରାଯାଇଛି । ଏହାର ଉଦ୍ଦେଶ୍ୟ ମହାବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିଳ୍ପ ଓ ସାମାଜିକ ପ୍ରତିଷ୍ଠାନମାନଙ୍କୁ ଯାଇ ଏକ ବାସ୍ତବାମୁଖୀ ପ୍ରଶିକ୍ଷଣ ଗ୍ରହଣ କରିବେ, ଯାହା ସେମାନଙ୍କୁ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବା ସହ କୁଶଳୀ କରାଇବ ।

ଏହି ପ୍ରଶିକ୍ଷଣ ପର୍ଯ୍ୟାୟରେ +୩ ଦ୍ଵିତୀୟ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗ ଓ ଇଂରାଜୀ ବିଭାଗର ଯଥାକ୍ରମେ ୨୧ ଓ ୯ ଜଣ ଛାତ୍ରୀ ଏହି ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମରେ ଯୋଗ ଦେଇଛନ୍ତି ବୋଲି ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସର ଶିଶୁ ଥେରାପି କେନ୍ଦ୍ରର ମିନି କର୍ନଫରେନ୍ସ ହଲରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ପ୍ରଥମ ଦିବସରେ ତୁଳସୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ତପନ କୁମାର ବଳ ଓ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ବ୍ରହ୍ମାନନ୍ଦ ସେଠୀଙ୍କ ଉପସ୍ଥିତିରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଏହାକୁ ଶୁଭାରମ୍ଭ କରିଥିଲେ । ଏହି ସଂକ୍ଷିପ୍ତ ଅବଧି କାଳରେ ଛାତ୍ରୀମାନଙ୍କୁ “ଭିନ୍ନକ୍ଷମତା ଓ ଏହାର ସଂକ୍ଷିପ୍ତ ବହୁ ଆୟାମୀ ଅବବୋଧ ”ସମ୍ପର୍କିତ ଏକ ସଚେତନତାମୂଳକ ବିଷୟ ସମ୍ପର୍କିତ ଶିକ୍ଷଣ ପ୍ରଦାନ କରାଯିବ ବୋଲି ବୈଷୟିକ ଅଧିକାରୀ କେଦାରନାଥ ବାରିକ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande