
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ) – କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଗୁରୁବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ଓଡ଼ିଶାର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କ ସୁରକ୍ଷା ପ୍ରତି ଉଦାସୀନ ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶପୁତଳିକ ଦାହ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ କହିଥିଲେ ଯେ ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରୀହ ରୋଗୀଙ୍କର ହତ୍ୟାକାରୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ରାଜ୍ୟର ସବୁଠାରୁ ଭରସାଯୋଗ୍ୟ ସରକାରୀ ଚିକିତ୍ସାଳୟରେ ରୋଗୀ ଅସୁରକ୍ଷିତ ଏବଂ ଏଭଳି ଯେଉଁ ମର୍ମତୁନ୍ଦ ଘଟଣା ଘଟିଲା ସେଥିରୁ ଏ ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡ଼ିକର ଅବସ୍ଥା କ’ଣ ତାହା ସ୍ପଷ୍ଟ ବାରିହୋଇପଡ଼ୁଛି ।
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା କହିଲେ ଯେ ମୃତକମାନଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଓ ଆହତମାନଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା ଦାବି କରିଅଛନ୍ତି । ଏପରି ମର୍ମନ୍ତୁଦ ଘଟଣା ଯେପରି ପୁର୍ନବାର ନଘଟେ ସେଥିପ୍ରତି ଧ୍ୟାନ ଦେବାପାଇଁ କଟକ ବଡ଼ଡାକ୍ତରଖାନା କତୃପକ୍ଷଙ୍କୁ ଶ୍ରୀଯୁକ୍ତ ଜେନା ଚେତାବନୀ ଦେଇଛନ୍ତି । ଏହି ଦାୟୀତ୍ୱରେ ଥିବା କର୍ମଚାରୀ ଏବଂ ମେଡିକାଲ କଲେଜର ମୁଖ୍ୟଙ୍କ ଉପରେ ମଧ୍ୟ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିଆଯାଉ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା