
ନୂଆପଡ଼ା, ୧୯ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ଦ୍ୱାରା ଭାରତୀୟ ଭାଷା, ଜ୍ଞାନ ପରମ୍ପରା, ବିଜ୍ଞାନ ଏବଂ ଆନ୍ତଃବିଦ୍ୟା ପରିସରର ପୁନଃମୂଲ୍ୟାୟନ ଶୀର୍ଷକରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁ ଏଥିରେ ସଭାପତିତ୍ବ କରିବା ସହିତ ଭାରତୀୟ ଜ୍ଞାନ ପରମ୍ପରା ଓ ବିଜ୍ଞାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବରେ ଡକ୍ଟର ଫଣିନ୍ଦମ ଦେଓ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରା, ଭାଷା ଓ ସଂସ୍କୃତିର ପୁନର୍ମୂଲ୍ୟାୟନ ସଂପର୍କରେ ଅବଗତ କରାଇଥିଲେ। ବିଷୟ ବିଶେଷଜ୍ଞ ଭାବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଅତୁଲ ପ୍ରଧାନ ଯୋଗଦେଇ ଭାରତୀୟ ଭାଷା, ସଂସ୍କୃତି ଏବଂ ବିଜ୍ଞାନ: ହରପ୍ପା ସଭ୍ୟତାରୁ ବୈଦିକ ଯୁଗ ପର୍ଯ୍ୟନ୍ତ ବିଷୟରେ ଆଲୋଚନା କରିଥିଲେ। ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନଳିନୀକାନ୍ତ ରଣା ଭାରତୀୟ ଜ୍ଞାନ ପରମ୍ପରାରେ ନିରନ୍ତରତା ଏବଂ ପରିବର୍ତ୍ତନ: ପ୍ରାକ୍ ଐତିହାସିକ ଜୀବିକା ନିର୍ବାହଠାରୁ ମୃତ୍ତିକା ପାତ୍ର ନିର୍ମାଣ କଳା ପର୍ଯ୍ୟନ୍ତ ବିଷୟରେ, ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରଣବୀର ସିଂ ଭାରତୀୟ ପ୍ରତ୍ନତତ୍ତ୍ୱ ଓ ପ୍ରତ୍ନମାପବିଜ୍ଞାନ ବିଷୟରେ ଏବଂ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ଆବାହକ ଅଧ୍ୟାପକ କୁନାଲ କୁମାର ବାଗ ଏହି ସମ୍ପାନ ତଥା କର୍ମଶାଳାର ଆଭିମୁଖ୍ୟ ଓ ଅଭିଲକ୍ଷ୍ୟ ସଂପର୍କରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଅଧ୍ୟାପକ ଟିକେଶ୍ବର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ଡକ୍ଟର ସୁବାସ ବିଶ୍ବାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଆଦିବାସୀ ଜୀବନ ଓ ସଂସ୍କୃତି ଉପରେ ଆଧାରିତ ଡକ୍ଟର ପରମତାପ ପ୍ରଧାନ ଏବଂ ଡକ୍ଟର ଶ୍ରୀକାନ୍ତ କୁମାର ବାରିକଙ୍କ ଦ୍ବାରା ସଂପାଦିତ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ଅତୁଲ ପ୍ରଧାନ ପ୍ରାଚୀନ କାଳର ମୂଲ୍ୟବାନ ପ୍ରସ୍ତର ଏବଂ ତା'ର ବ୍ୟାବହାରିକ ଦିଗ ସମ୍ପର୍କରେ ପ୍ରଶିକ୍ଷଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ତଥା ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଗବେଷକ ଗବେଷିକା ଉପସ୍ଥିତ ରହି ପୋଷ୍ଟର ଉପସ୍ଥାପନା କରିଥିଲେ। ଶେଷରେ ଅଧ୍ୟାପକ ଜସ୍ମିନ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ