
ଜୟପୁର, ୧୯ ମାର୍ଚ୍ଚ (ହି.ସ.) - ଜୟପୁର ଠାରେ ଉକ୍ରଳ ଦିବସ ପାଳନ ନେଇ ଉକ୍ରଳ ସମ୍ମିଳନୀ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର କୋରାପୁଟ ଜିଲ୍ଳା ଶାଖା ପକ୍ଷରୁ ଆୟୋଜିତ ଏହି ବୈଠକରେ ପୌରୋହିତ୍ୟ କରିଥିଲେ ସଭାପତି ମଦନ ମୋହନ ନାୟକ । ସ୍ଥାନୀୟ ଯାଦବ ଭବନରେ ଆୟୋଜିତ ଏହି ବୈଠକରେ ସଂପାଦକ ନବୀନ ମାଦଳା ଗତ ବର୍ଷ ପରି ରାଜାନଗର ଠାରେ ଏହି ଦିବସ ପାଳନ ନେଇ ପ୍ରସ୍ତାବ ଦେଇଥିଲେ । ଏଥିରେ ସମସ୍ତେ ସହମତି ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ପୁରୋଧା ମାନଙ୍କ ପ୍ରତିମୂର୍ତି ଗୁଡ଼ିକରେ ପୂର୍ବାହ୍ନରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ବେଳେ ସଂନ୍ଧ୍ୟା ୬ଟାରୁ ୮ ଘଂଟା ମଧ୍ୟରେ ରାଜାନଗରରେ ସାଧାରଣ ସଭା କରାଯିବାକୁ ମତ ପ୍ରକାଶ ପାଇଥିଲା। ଏଥିରେ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ଘୁଙ୍ଗୁରର ସହାୟତା ନେବାକୁ ସମସ୍ତ କର୍ମକର୍ତା ମତ ପ୍ରକାଶ କରିଥିଲେ । ଆଜିର ପ୍ରସ୍ତୁତି ବୈଠକରେ ଡାକ୍ତର ସୁଦର୍ଶନ ଗୌଡ଼, କବିରାଜ ପରମେଶ୍ୱର ପାତ୍ର, ବାଲା ରାୟ, ମିନ କେତନ ପରିଛା, ଚନ୍ଦ୍ରକାନ୍ତ ସୂତାର, ସତ୍ୟ ନାରାୟଣ ପରିଛା ଯୋଗ ଦେଇଥିବା ବେଳେ ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି