
ପୁରୀ, ୧୯ ମାର୍ଚ୍ଚ (ହି.ସ.)- କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ କ୍ରୀଡା ପ୍ରାଧିକରଣ ବା ସାଇ ସହଯୋଗରେ ପୁରୀରେ ଆୟୋଜିତ ହେବାକୁ ଯାଉଛି ଫିଟ ଇଣ୍ଡିଆ କାର୍ନିଭାଲ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ସ୍ବାସ୍ଥ୍ୟ ସୁରକ୍ଷିତ ରୁହନ୍ତୁର ବାର୍ତ୍ତା ନେଇ ଖେଲୋ ଇଣ୍ଡିଆର ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସି ବିଚ ଠାରେ ଅନୁଷ୍ଠିତ ହେବ। ପୁରୀ ଜିଲ୍ଲା ପ୍ରଶାସନ ଏଥିରେ ସହଯୋଗ ଯୋଗାଇ ଦେବ ବୋଲି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଏ ସମ୍ପର୍କରେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୨୦୧୯ ମସିହାରୁ ପ୍ରଧାନମନ୍ତ୍ରୀଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ଭାବେ ଏହା ଆୟୋଜିତ ହୋଇ ଆସୁଛି। ପୁରୀରେ ଚଳିତ ବର୍ଷ ଏହାର ଆୟୋଜନ ଖୁସିର କଥା ଓ ପୁରୀ ବାସୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ବେହେରା ଆଶା ବ୍ୟକ୍ତ କରିଥିଲେ। ଏଥିରେ ଯୋଗ ପ୍ରଶିକ୍ଷଣ, ଜୁମ୍ବା, ଅନ୍ୟାନ୍ୟ କ୍ରୀଡା ଅନୁଷ୍ଠିତ ହେବ। ପୂର୍ବାହ୍ନ ୬ଟାରୁ ୯ଟା ଓ ଅପରାହ୍ନ ୪ଟା ୩୦ ରୁ ୮ଟା ୩୦ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ବୋଲି ସାଇ ର ସହକାରୀ ନିର୍ଦ୍ଦେଶକ କରଣ ସାଦୱ୍ବାନୀ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପାଇଁ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ଚିକିତ୍ସା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା, ମୋବାଇଲ ଶୌଚାଳୟ ବ୍ୟବସ୍ଥା, କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସଂପୃକ୍ତ ବିଭାଗ ମାନେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସାଇ ର ଉପ ନିର୍ଦ୍ଦେଶକ ତୈଲୋକ୍ୟ ନାଥ ସାହୁ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ହରପ୍ରିୟା ଦାଶ, ସାଇ ର କ୍ରୀଡା ସମ୍ପର୍କ ପରିଚାଳକ କୋମଲ କୁମାରୀ ଓ ଅନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ