
ଭୁବନେଶ୍ୱର ୨୦ ମାର୍ଚ୍ଚ (ହି.ସ)-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)କୁ ମିଳିଲା ଗ୍ଲୋବାଲ ସଷ୍ଟେନବିଲିଟି ଆଣ୍ଡ ଇନୋଭେସନ ପୁରସ୍କାର-2026 । ଜଳବାୟୁ ଅନୁକୂଳ ନବୀକରଣଯୋଗ୍ୟ ଜଳ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷତା ଏବଂ ମଳପଙ୍କ ପ୍ରକ୍ରିୟାକରଣରୁ ସମ୍ବଳ ପୁନଃଉଦ୍ଧାର କରିବା କ୍ଷେତ୍ରରେ ଅଭିନବ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଛି । ସ୍ୱୀକୃତିପ୍ରାପ୍ତ ସ୍ଥାୟୀ ଭିତ୍ତିଭୂମି ଏବଂ ଦକ୍ଷ ବର୍ଜ୍ୟ ଜଳ ପରିଚାଳନାରେ ବିଏମ୍ ସିର ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ଏହି ସମ୍ମାନ ଜନକ ପୁରସ୍କାର ମିଳିବାକୁ ଯାଉଛି । ଚଳିତ ମାସ 24 ତାରିଖ ସଂଧ୍ୟା 6 ଘଟିକା ସମୟରେ ନୂଆଦିଲ୍ଲୀ ଶାମଭେଟ୍ ଅଡିଟୋରିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ ସିକୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ବିଶ୍ୱସ୍ତରରେ ଏହି ପୁରସ୍କାର ମିଳୁଥିବା ଖବର ପାଇବା ପରେ ମେୟର ଶ୍ରୀମତୀ ସୁଲୋନଚା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା ଖୁସି ବ୍ୟକ୍ତ କରିଛନ୍ତି । ଟିମ୍ ବିଏମ୍ ସି ସହ ସମସ୍ତ ଅଧିକାରୀ, କର୍ମଚାରୀ, କର୍ପୋରେଟର, ସ୍ୱଚ୍ଛକର୍ମୀ ଓ ସ୍ୱଚ୍ଛସାଥୀଙ୍କ ସହ ଏହି ଶ୍ରେୟ ଭୁବନେଶ୍ୱରବାସୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେମାନେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ କି ବିଏମ୍ ସି ଅଂଚଳରେ ସମୁଦାୟ 30 ଗୋଟି ସୋଲାର ଓ୍ୱାଟର କିଓସ୍କ ଚାଲିଛି । ଯାହାକି ଜଳବାୟୁ ତଥା ପରିବେଶ ଅନୁକୂଳ ।
ସେହିପରି ବାସୁଆଘାଇଠାରେ ମଳପଙ୍ଗ ପ୍ରକ୍ରିୟାକରଣ କରି ସେଥିରୁ ବାହାରୁଥିବା ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି ଏବଂ ମଳପଙ୍କକୁ ମଧ୍ୟ ଖତ ରୂପେ ବ୍ୟବହାର କରାଯାଉଛି । ସବୁଠାରୁ ବଡକଥା ହେଲା ଯେ, ମଣିଷର ମଳମୂତ୍ରକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଉଛି । ଯାହା ଫଳରେ ମଳମୁତ୍ର ଅନ୍ୟ ଜଳଶ୍ରୋତରେ ମିଶି ଜଳ କିମ୍ବା ବାୟୁ ପ୍ରଦୂଷଣ କରୁନାହିଁ । କେବଳ ସେତିକି ନୁହେଁ, ଏହାକୁ ପ୍ରକ୍ରିୟାକରଣ କରିବା ପାଇଁ ନିୟୋଜିତ ତୃତୀୟ ଲିଙ୍ଗର କର୍ମୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତର ସହ ଧ୍ୟାନ ଦେଇଆସୁଛି ବିଏମ୍ ସି ।
ଭୁବନେଶ୍ୱରକୁ ଦୀର୍ଘ ମିଆଦି ସୂତ୍ରରେ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ବିଏମ୍ ସି ପକ୍ଷରୁ ଏହି ପ୍ରକ୍ରିୟା ଜାରି ରହିଛି । ଏ ସବୁକୁ ସାମଗ୍ରୀକ ଭାବେ ବିଚାରକୁ ନେଇ ଆର୍ଥ ଓ୍ୱାଟର ଫାଉଣ୍ଡେସନ ପକ୍ଷରୁ ବିଏମ୍ ସିକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା