
ଚମ୍ପୁଆ, ୨୦ ମାର୍ଚ୍ଚ (ହି.ସ.)-
ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟ ଗୁଡିକରେ ବିଭାଗ ପକ୍ଷରୁ ନିମ୍ନମାନର କାମ କରି ଅନୁଦାନ ଟଙ୍କାକୁ ହରିଲୁଟ କରାଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଚମ୍ପୁଆ ବ୍ଲକରେ ଅଧିକାରୀଙ୍କ ମନମାନି ଏବଂ ମାରଣନୀତି ଯୋଗୁଁ ତା'ର ବିପରୀତ ପ୍ରତିଫଳନ ଦେଖିବାକୁ ମିଳୁଛି। ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଳକ, କାଳିକାପ୍ରସାଦ ପଞ୍ଚାୟତରେ।
ସୂଚନା ଅନୁଯାୟୀ, କାଳିକାପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମର ଡ଼ଙ୍ଗାକଟା ନାଳରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆର୍ଥିକ ବର୍ଷ ୨୦୨୪ - ୨୫, ଅଟକଳ ମୂଲ୍ୟ ତିନି ଲକ୍ଷ ଟଙ୍କା ଅନୁଦାନରେ ଏକ ଗାଧୁଆ ତୁଠ ନିର୍ମାଣ କରାଯାଇଅଛି। ଏହି ଗାଧୁଆ ତୁଠର କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଚମ୍ପୁଆ ରହିଥିବାବେଳେ ସୂଚନା ଫଳକରେ ଏହାର କାର୍ଯ୍ୟାରମ୍ଭ ତାରିଖ କିମ୍ବା କାର୍ଯ୍ୟର ଶେଷ ତାରିଖ ଲେଖା ଯାଇନାହିଁ ।
ତେବେ ଏହି ଗାଧୁଆ ତୁଠ ପ୍ରାୟ ପାଞ୍ଚରୁ ସାତ ଫୁଟ ଭିତରେ ନିର୍ମାଣ କରାଯାଇଥିବା ବେଳେ ଏହା ମାଟି ଭିତରୁ କୌଣସି ଫାଉଣ୍ଡେସନ ନପକାଇ କେବଳ ମାଟି ଉପରେ କଂକ୍ରିଟ ଢ଼ଳେଇ କରାଯାଇଛି। ଏହା ଏକ ଜିଅନ୍ତା ନାଳ ହୋଇଥିବାରୁ ବର୍ଷା ଦିନେ ଗାଧୁଆ ତୁଠ ଢ଼ଳେଇ ତଳର ମାଟି ଧୋଇ ଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ତୁଠ ଦୁଇ କଡରେ ନିର୍ମାଣ କରାଯାଇଥିବା ସୁରକ୍ଷା ପାଚେରୀ ମଧ୍ୟ ଅତି ନିମ୍ନମାନର ହୋଇଥିବାରୁ ଏହି ଗାଧୁଆ ତୁଠର ସ୍ଥାୟିତ୍ୱକୁ ନେଇ ସନ୍ଦେହ ପ୍ରକଟ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉକ୍ତ ସ୍ଥାନକୁ ଲୋକଙ୍କ ଚଳପ୍ରଚଳ କମ୍ ରହୁଥିବାରୁ ବିଭାଗୀୟ ଅଧିକାରୀ ମାନେ ଯୋଜନାବଦ୍ଧ ଭାବେ ଅନୁଦାନ ଟଙ୍କାକୁ ହରିଲୁଟ କରିଛନ୍ତି। ଏଠାରେ ନିମ୍ନମାନର ଗାଧୁଆ ତୁଠ ନିର୍ମାଣ କରି ଯେନତେନ ପ୍ରକାରେ କାମ ସାରିଦେଇ ଅନୁଦାନ ଟଙ୍କାକୁ ଚଳୁ କରିଥିବାରୁ ଏହା ଉପରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା ସହିତ ଏହାର ବିଧିବଦ୍ଧ ତଦନ୍ତ ନିମନ୍ତେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta