
ନୂଆପଡ଼ା, ୨୦ ମାର୍ଚ୍ଚ (ହି.ସ.)- କରୋନା ମହାମାରୀ ସମୟରେ କୋଭିଡ୍ ଯୋଦ୍ଧା ଭାବେ ନିଷ୍ଠାପୂର୍ଣ୍ଣ ସେବା କରି ନିଜ ଜୀବନ ହରେଇ ଥିବା ନୂଆପଡ଼ା ଜିଲ୍ଲା ନୂଆମାଲପଡା ଗ୍ରାମପଂଚାୟତର ପୂର୍ବତନ ସରପଂଚ ନାକମୁଣ୍ଡିଆ ଚିନ୍ଦାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଆଜି ପ୍ରଦାନ କରାଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୃତକଙ୍କ ପୁଅ କେଶବ ଚିନ୍ଦାଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡେପୁଟି କଲେକ୍ଟର(ଆପତକାଳୀନ) ଲଲାଟେନ୍ଦୁ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ସିନାପାଲି ଥାନା ଅଧୀନସ୍ଥ ଦବଡା ଗ୍ରାମର ନାକମୁଣ୍ଡିଆ ଚିନ୍ଦା ୧୦ ମାର୍ଚ୍ଚ ୨୦୧୭ରେ ସରପଂଚ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ୍–୧୯ ମହାମାରୀ ସମୟରେ ସେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି, ଗୃହ କ୍ୱାରେଂଟାଇନ୍ ବ୍ୟବସ୍ଥା, ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ବଂଟନ ସହିତ ସଂକ୍ରମଣ ନିୟନ୍ତ୍ରଣରେ ସକ୍ରିୟ ଭୂମିକା ନିଭାଇଥିଲେ। କିନ୍ତୁ ସେ ନିଜ କର୍ତବ୍ୟ ପାଳନ ସମୟରେ କୋଭିଡ୍ରେ ସଂକ୍ରମିତ ହୋଇ ୨୧ ମେ ୨୦୨୧ରେ ମୃତ୍ୟୁବରଣ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ଆଜି ତାଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ