
ନୂଆପଡା,୨୦ ମାର୍ଚ୍ଚ(ହି.ସ.) – ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) ର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାର ତିନୋଟି ଏନଏସି - ନୂଆପଡା, ଖଡିଆଳ ଓ ଖରୀଆର ରୋଡର କାର୍ଯ୍ୟାବଳୀ ସମୀକ୍ଷା ସହିତ ରାଜସ୍ୱ ସଂଗ୍ରହ, ସଲିଡ୍ ୱେଷ୍ଟ ମ୍ୟାନେଜମେଂଟ, ପିଏମଏୱାଇ(ନଗର) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା(ଏମଏସବିୱାଇ) ର କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନଏସିର କାର୍ଯ୍ୟ ପ୍ରଗତି ଓ ଆର୍ôଥକ ତଥ୍ୟ ଉପସ୍ଥାପନ କରିଥିଲେ।୨୦୨୫– ୨୬ ଆର୍ôଥକ ବର୍ଷ ପାଇଁ ରାଜସ୍ୱ ସଂଗ୍ରହ ସମୀକ୍ଷାରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ଖଡିଆଳ ଏନଏସି ପ୍ରାୟ ୯୯.୦୩ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ନୂଆପଡା ୯୦.୦୩ ପ୍ରତିଶତ ଓ ଖରୀଆର ରୋଡ ୯୦.୯ ପ୍ରତିଶତ ସଫଳତା ହାସଲ କରିଛି। ଏନ୍ଏସି ସମ୍ପତି ଭଡାରେ ଖଡିଆଳ ୮୬.୬୪ ପ୍ରତିଶତ ଓ ନୂଆପଡା ୪୭.୮୩ ପ୍ରତିଶତ ଆଦାୟ କରିଛି। ବ୍ୟବସାୟ ଲାଇସେନ୍ସ ଆଦାୟରେ ମଧ୍ୟ ସନ୍ତୋଷଜନକ ପ୍ରଗତି ଦେଖାଯାଇଛି। ସମୁଦାୟ ରାଜସ୍ୱ ସଂଗ୍ରହରେ ଖଡିଆଳ ୭୬.୬୭ ପ୍ରତିଶତ, ନୂଆପଡା ୭୬.୧୦ ପ୍ରତିଶତ ଓ ଖରୀଆର ରୋଡ ୯୨.୬୦ ପ୍ରତିଶତ ସଫଳତା ରହିଛି।ସଲିଡ୍ ୱେଷ୍ଟ ମ୍ୟାନେଜମେଂଟ ଅଧିନରେ ସମସ୍ତ ୱାର୍ଡରେ ଡୋ-ର୍ଟୁ- ଡୋର ବର୍ଜ୍ୟ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ ଚାଲୁଥିବା ବେଳେ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣରେ ମଧ୍ୟ ଉନ୍ନତି ଦେଖାଯାଇଛି। ପିଏମଏୱାଇ(ନଗର) ଅଧୀନରେ ଘର ନିର୍ମାଣ କାର୍ଯ୍ୟରେ ଗତି ଆସିଥିବାବେଳେ ଅସମ୍ପୂର୍ଣ୍ଣ ଘରଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏମଏସବିୱାଇ ଯୋଜନାରେ ବିଭିନ୍ନ ପ୍ରକଳ୍ପର ଅନୁମୋଦନ, ଟେଣ୍ଡର ଓ କାର୍ଯ୍ୟାନ୍ୱୟନ ଅବସ୍ଥା ସମୀକ୍ଷା କରାଯାଇଥିଲା। ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଶୀଘ୍ର କାମ ଆରମ୍ଭ କରି ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜୋର ଦିଆଯାଇଥିଲା। ମଲ୍ଟି ପର୍ପୋଜ ହଲ୍ ନିର୍ମାଣ କାର୍ଯ୍ୟରେ ଅଧିକାଂଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ କେତେକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ତଥ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା। ଜିଲ୍ଲାପାଳ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାଜସ୍ୱ ସଂଗ୍ରହରେ ୧୦୦ ପ୍ରତିଶତ ଲକ୍ଷ୍ୟ ପ୍ରାପ୍ତି, ସହରମାନଙ୍କର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣରେ ଅଗ୍ରଗତି ଆଣିବା ସହିତ ଯୋଜନାମାନଙ୍କର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ।ଏହି ବୈଠକରେ ନୂଆପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରୀଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସହ ନଗର ଉନ୍ନୟନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ