ପଂଚାୟତ ଅଫିସ ପଛରେ ଅନ୍ଧାର, ୫୯ ବର୍ଷ ହେବ ଝାଟିମାଟି କୁଡ଼ିଆରେ ଅସହାୟ ବିଧବା, ସରକାରୀ ଆବାସ ସାତ ସପନ
ଭଦ୍ରକ, ୨୦ ମାର୍ଚ୍ଚ (ହି.ସ.) - ସରକାର ଗରିବ, ଭୂମିହୀନ ଓ ନିରାଶ୍ରୟ ଙ୍କ ପାଇଁ ଶହ ଶହ କୋଟି ଟଙ୍କାର ଆବାସ ଯୋଜନା କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶୋହଡ଼ା ପଂଚାୟତ ରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ। ପଂଚାୟତ କାର୍ଯ୍ୟାଳୟର ଠିକ୍ ପଛ ପଟେ ଏକ ଅନ
JHATIMATI KUDIA RE ASAHAYA BIDHABA


ଭଦ୍ରକ, ୨୦ ମାର୍ଚ୍ଚ (ହି.ସ.) - ସରକାର ଗରିବ, ଭୂମିହୀନ ଓ ନିରାଶ୍ରୟ ଙ୍କ ପାଇଁ ଶହ ଶହ କୋଟି ଟଙ୍କାର ଆବାସ ଯୋଜନା କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶୋହଡ଼ା ପଂଚାୟତ ରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ। ପଂଚାୟତ କାର୍ଯ୍ୟାଳୟର ଠିକ୍ ପଛ ପଟେ ଏକ ଅନାବାଦୀ ଜାଗାରେ ଦୀର୍ଘ ୫୯ ବର୍ଷ ହେବ ଏକ ନୁଆଁଣିଆ ଝାଟିମାଟି ଘରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଜେନା ସାହିର ବୃଦ୍ଧା ବିଧବା ହୁନି ଜେନା। ହୁନି ଙ୍କ ଜୀବନ କାହାଣୀ ଯେତିକି କଷ୍ଟ ଦାୟକ, ସେତିକି ସଂଘର୍ଷମୟ। ମାତ୍ର ୧୫ ବର୍ଷ ବୟସରେ ଭଣ୍ଡାରିପୋଖରୀ ଅଂଚଳରେ ତାଙ୍କର ବିବାହ ହୋଇଥିଲା। କିନ୍ତୁ ନିୟତିର କ୍ରୂର ପରିହାସ, ବିବାହର ମାତ୍ର ୬ ମାସ ପରେ ସ୍ୱାମୀଙ୍କ ମୃତ୍ୟୁ ଘଟିଲା। ଶାଶୁଘର ଲୋକେ ଘରୁ ବାହାର କରିଦେବା ପରେ ବାପଘରକୁ ଆଶ୍ରୟ ପାଇଁ ଆସିଥିଲେ ମଧ୍ୟ ସେଠାରେ ବି ସମାନ ପରିସ୍ଥିତି ଉପୁଜିଥିଲା। ଶେଷରେ କୁଳକୁଟୁମ୍ବ ଓ ଗ୍ରାମବାସୀଙ୍କ ସହାୟତାରେ ଏହି ଅନାବାଦୀ ଜାଗାରେ ଏକ ଚାଳିଆ କରି ସେ ରହି ଆସୁଛନ୍ତି।ସରକାରଙ୍କଠୁ ମିଳୁଥିବା ୧ ହଜାର ଟଙ୍କା ଭତା ଓ ୫ କିଲୋ ଚାଉଳରେ କଷ୍ଟେମଷ୍ଟେ ପେଟ ପୋଷୁଛି। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ପାଇଁ ବହୁତ ଆଶା, ହେଲେ ନିଜର ଜାଗାବାଡ଼ି ନାହିଁ ବୋଲି ସରକାର ଘର ଦେଉନାହାନ୍ତି,ଆଖିରେ ଲୁହଭରିକୋହଭରା କଣ୍ଠରେ ଏହା କହିଛନ୍ତି ହୁନି ଜେନା ।ଆଶ୍ଚର୍ଯ୍ୟର କଥା, ଯେଉଁ ପଂଚାୟତ ଅଫିସରୁ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହୁଏ, ସେହି ଅଫିସ ପଛପଟେ ଜଣେ ଅସହାୟା ବୃଦ୍ଧା ଏତେ ବର୍ଷ ଧରି କିଭଳି ପ୍ରଶାସନ ନଜର ରୁ ଦୂରେଇ ରହିଲେ। ଯଦି ସରକାରଙ୍କ ଭୂମିହୀନ ଯୋଜନାରେ ତାଙ୍କୁ ଡିହ ଖଣ୍ଡେ ମିଳି ପାରନ୍ତା, ତେବେ ହୁଏତ ସେ ଆବାସ ଯୋଜନାରେ ଘରଟିଏ ପାଇପାରନ୍ତେ।ଏ ସମ୍ପର୍କରେ ଧାମନଗର ବିଡିଓ ବନ ବିହାରି ଦିନ୍ଦା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତମାନ ସୁଦ୍ଧା ଏପରି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ମୋ ପାଖକୁ ଆସିନାହିଁ। ତଥାପି ବର୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ କାର୍ଯ୍ୟ ଚାଲିଛି, ତେଣୁ ସେଥିରେ ତାଙ୍କୁ ସାମିଲ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ।ଏବେ ଦେଖିବାକୁ ବାକି ରହିଲା, ଏହି ଅସହାୟା ବୃଦ୍ଧାଙ୍କ ଜୀବନର ସାୟାହ୍ନ ରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ମିଳୁଛି ନା ନାହିଁ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande