
ନୂଆପଡ଼ା,୨୦ ମାର୍ଚ୍ଚ(ହି.ସ.) – ଓଡ଼ିଶାର ପାରମ୍ପାରିକ ଓ ଲୋକପ୍ରିୟ ଖାଦ୍ୟ ‘ପଖାଳ’ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ନୂଆପଡ଼ା ସର୍କିଟ୍ ହାଉସ୍ରେ ଜିଲ୍ଲାସ୍ତରୀୟ ‘ପଖାଳ ଦିବସ’ ଉତ୍ସାହର ସହିତ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଖରିଆର ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କ ସହ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ପଖାଳ ସହ ବିଭିନ୍ନ ପାରମ୍ପାରିକ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ଗ୍ରହଣ କରି ଏହାର ପୌଷ୍ଟିକତା ଓ ଗ୍ରୀଷ୍ମକାଳୀନ ଉପଯୋଗିତା ବିଷୟରେ ଆଲୋଚନା କରିଥିଲେ। ପଖାଳ ଦିବସ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପାରମ୍ପାରିକ ଖାଦ୍ୟ ପ୍ରତି ସଚେତନତା ବୃଦ୍ଧି ପାଇଁ ଜୋର ଦିଆଯାଇଥିଲା। ଏହା ସହିତ ରାଜ୍ୟ ସ୍ତରରେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶାଳ ‘ପଖାଳ ପର୍ବ’ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପଖାଳକୁ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପାରମ୍ପାରିକତାର ଅଭିନ୍ନ ଅଂଶ ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ପଖାଳ ଦିବସ’ ମାଧ୍ୟମରେ ଓଡ଼ିଆ ଖାଦ୍ୟ ପଦାର୍ଥକୁ ବିଶ୍ୱମଞ୍ଚରେ ପରିଚିତ କରାଇବା ସହ ଓଡ଼ିଆମାନଙ୍କୁ ଏକତ୍ର କରିବାର ମହତ ଉଦ୍ଦେଶ୍ୟ ରହିଛି। ପଶ୍ଚିମା ଖାଦ୍ୟ ସଂସ୍କୃତିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ମଧ୍ୟରେ ଆମ ପାରମ୍ପାରିକ ଖାଦ୍ୟ ଲୋପ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ