
ଝାରସୁଗୁଡ଼ା, ୨୦ ମାର୍ଚ୍ଚ (ହି.ସ.)- ଜିଲ୍ଲାର ବେକାର ଯୁବକ ଓ ଯୁବତୀମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଏକ ବିଶାଳ 'ମେଗା ଜବ୍ ଡ୍ରାଇଭ୍' ବା ପ୍ଲେସମେଣ୍ଟ କ୍ୟାମ୍ପ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱିତୀୟ ମହଲାରେ ଥିବା ଡିଏମଏଫ ଅଡିଟୋରିୟମ ହଲରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟା ୩୦ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ରାଜ୍ୟର ଅଗ୍ରଣୀ କମ୍ପାନୀମାନେ ଯୋଗଦେଇ ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ। ଏହି ନିଯୁକ୍ତି ମୁଖ୍ୟତଃ ଝାରସୁଗୁଡ଼ା ଏବଂ ସମ୍ବଲପୁର ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ରହିବ।
ଦଶମ ଶ୍ରେଣୀ ପାସ୍, ଯୁକ୍ତ ଦୁଇ, ଆଇଟିଆଇ, ଡିପ୍ଲୋମା, ସାଧାରଣ ସ୍ନାତକ ସହିତ ବିଶେଷ କରି ବି.କମ, ଏମ. କମ, ଏମବିଏ(ଫାଇନାନ୍ସ), ସିଏ ଇଣ୍ଟର ଏବଂ ସିଏମଏ କରିଥିବା ଛାତ୍ରଛାତ୍ରୀମାନେ ଏହି ସାକ୍ଷାତକାରରେ ଭାଗ ନେଇପାରିବେ।ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଅପଡେଟେଡ୍ ରେଜ୍ୟୁମ, ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ପରିଚୟ ପତ୍ର ଏବଂ ନିକଟ ଅତୀତର ପାସପୋର୍ଟ ସାଇଜ୍ ଫଟୋ ସହିତ ସିଧାସଳଖ ସାକ୍ଷାତକାର ପାଇଁ ଉପସ୍ଥିତ ରହିବାକୁ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ଅଧିକ ସୂଚନା ପାଇଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ