
ନୂଆପଡ଼ା, ୨୦ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଲଘୁ ଖଣିଜର ସୁପରିଚାଳନା ଓ ଅବୈଧ ଖନନ ନିୟନ୍ତ୍ରଣ ପାଇଁ ଆଜି ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ବାଲି ଓ ପଥର ଖଣିଜ ଉତ୍ସ, ରାଜସ୍ୱ ସଂଗ୍ରହ ଓ ଅବୈଧ ଖଣିଜ ଚୋରାଚାଲାଣ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାରୁ ୨.୯୬ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ (୨୮ ଫେବୃଆରୀ ପର୍ଯ୍ୟନ୍ତ) ୧.୮୬ କୋଟି ଟଙ୍କା ସଂଗ୍ରହ ହୋଇଛି। ଏହାସହ ଅବୈଧ ଖଣିଜ ପରିବହନ ଓ ଚୋରାଚାଲାଣ ବିରୋଧରେ ଚାଲିଥିବା ଏନଫୋର୍ସମେଣ୍ଟ କାର୍ଯ୍ୟରେ ଚାଲୁ ଆର୍ଥିକ ବର୍ଷରେ ୨୩୭ଟି ଚଢ଼ଉ ହୋଇଥିବା ସହ ୪୨ଟି ଯାନବାହନ ଜବତ ଓ ୧୬ଟି ମାମଲା ରଜୁ ହୋଇଛି। ଏହି ଅବଧିରେ ୮୫.୬୮ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଆଦାୟ କରାଯାଇଛି। ଜିଲ୍ଲାପାଳ ଅବୈଧ ଖଣିଜ ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରତିରୋଧାତ୍ମକ ଓ ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ବନ ବିଭାଗର ଡିଏଫଓ ମାନଙ୍କୁ ( ପ୍ରାନ୍ତୀୟ ଓ ବନ୍ୟଜନ୍ତୁ ) ଯଥାଶୀଘ୍ର ଚେକ୍ପୋଷ୍ଟ ସ୍ଥାପନ କରି ଖଣିଜ ଚୋରାଚାଲାଣକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସେ ଖଣି ଲିଜ୍ଧାରୀମାନଙ୍କ ସହ ବୈଠକ ଆୟୋଜନ କରି ସମସ୍ତ ନିୟମାବଳୀ ବିଷୟରେ ସଚେତନ କରିବା ଓ ଯେଉଁମାନେ ସମସ୍ତ ନିୟମ ଅନୁସରଣ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରିବା ପାଇଁ ପରାମର୍ଶ ଦେଇଥିଲେ।
ବୈଠକରେ ଉପନିର୍ଦ୍ଦେଶକ ଖଣି, ଦୀପକ କୁମାର ଧରୁଆ, ଜିଲ୍ଲା ଖଣି ଅଧିକାରୀ ଦିଲୀପ କୁମାର ମାହାଣା, ବଲାଙ୍ଗିର ଭୂତତ୍ତ୍ୱବିଦ୍ ସୌମ୍ୟ କୁମାର ମହାପାତ୍ର, ଏସିଏଫ୍ ମହମ୍ମଦ ମୁସ୍ତାଫା ସାଲେହା, ଆରଟିଓ ଶ୍ରୀମତୀ ଶର୍ମିଳା ମହାରଣା ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ