
ରାଉରକେଲା, ୨୦ ମାର୍ଚ୍ଚ (ହି.ସ.)- ସୁନ୍ଦରଗଡ ଜିଲ୍ଲାରେ ଥିବା ୬ଟି ଛୋଟ ବଡ ସରକାରୀ ଡାକ୍ତରଖାନା ସମେତ ହାଇଟେକ ମେଡିକାଲରେ ଥିବା ଅପରେସନ ଥିଏଟରରୁ ବାହାରୁଥିବା ରକ୍ତ ପୁଜ ମଇଳା ରକ୍ତ ପାଣିକୁ ସଫା କରିବା କିମ୍ବା ଟ୍ରିଟମେଟଂ କରିବା ଲାଗି ଇଟିପି ବ୍ୟବସ୍ଥା ନାହିଁ, ଫଳରେ ଏହି ସବୁ ମଇଳା ପାଣିକୁ ଡାକ୍ତରଖାନା ମାନେ ସିଧାସଳଖ ବ୍ରାହ୍ମଣୀ ନଦୀକୁ ଛାଡି ଦେଉଛନ୍ତି, ଖାଲି ଏହି ସରକାରୀ ଡାକ୍ତରଖାନା ଗୁଡିକ ନୁହଁନ୍ତି ରାଉରକେଲାର ହାଇଟେକ ମେଡିକାଲ ସମେତ ବହୁ ବେସରକାରୀ ମେଡିକାଲରେ ଏହି ବ୍ୟବସ୍ଥା ନାହିଁ ତେଣୁ ସେମାନେ ମଧ୍ୟ ଏହି ପାଣି ଗୁଡିକୁ ସିଧାସଳକ ବ୍ରାହ୍ମଣୀକୁ ଛାଡି ଦେଉଛନ୍ତି ବୋଲି ଖବର ମିଲିଛି ।
ମିଳିଥିବା ସୂଚନା ଅନୁଶାରେ, ଡାକ୍ତରଖାନା ମାନଙ୍କର ନିଜର ଅପରେସନ ଥିଏଟର ଅଛି, ଏମାନେ ଅନେକ ଛୋଟ ବଡ ଅପରେସନ କରିଥାନ୍ତି, ଅପରେସନ ବେଳେ କଟା ମାଂସ, ହାଡ, ଚମଡା, ସୂତା, କନା ସମେତ ଅପରିଷ୍କାର ପାଣି ବାହାରିଥାଏ, ତେବେ କଠିନ ହାଡ ମାଂସକୁ ନଷ୍ଟ କରିବା ଲାଗି ବ୍ୟବସ୍ଥା କରିବା ସହ ଇଟିପି ବ୍ୟବସ୍ଥାରେ ମଇଳା ରକ୍ତ ପାଣିକୁ ଟ୍ରିଟମେଣ୍ଟ କରି ବାହାରକୁ ଛାଡିବା କଥା, କିନ୍ତୁ ସୁନ୍ଦରଗଡ ଜିଲ୍ଲାରେ ଥିବା ମୁଖ୍ୟ ସରକାରୀ ଡାକ୍ତରଖାନା ସମେତ ରାଉରକେଲା ସରକାରୀ ଡାକ୍ତରଖାନାରେ ବି ଏହି ସୁବିଧା ଦୀର୍ଘ ବର୍ଷ ହେଲା ନାହିଁ, ସମସ୍ତେ ଏହିଭଳି ମଇଳା ପାଣି ଗୁଡିକୁ ସିଧା ନଦୀକୁ ଛାଡୁଛନ୍ତି । ସେହିଭଳି ରାଉରକେଲା ହାଇଟେକ ମେଡିକାଲ ସମେତ ଅନେକ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ନାହିଁ । ସେମାନେ ମଧ୍ୟ ଏହିଭଳି ସିଧା ମଇଳା ପାଣିକୁ ନଦୀକୁ ଛାଡି ଦେଉଛନ୍ତି ଓ କେହିବି ଇଟିପି ବ୍ୟବସ୍ଥା କରୁନାହାନ୍ତି ।
ଏନେଇ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ ଭୁବନେଶ୍ୱରଙ୍କ କହିବା କଥା ଏଥିଲାଗି ମାତ୍ର କୋଟିଏ ଟଙ୍କା ଖର୍ଚ୍ଚ କରାଗଲେ ଏହି ବ୍ୟବସ୍ଥା ହୋଇପାରିବ, ଆମର ରାଉରକେଲା ଅଧିକାରୀ ମାନେ ମଧ୍ୟ ସହଯୋଗ କରିବେ କିନ୍ତୁ ଡାକ୍ତରଖାନାମାନେ ଏନେଇ ଆଜି ଯାଏ ସଚେତନ ହେଉନାହାନ୍ତି । ଖାଲି ସେତିକି ନୁେହେଁ ଏହିସବୁ ଡାକ୍ତରଖାନା ଗୁଡିକ ୧୦୦ ରୁ ୪୦୦/ ୫୦୦ ବେଡ ରଖି ରୋଗୀ ସେବା କରୁଛନ୍ତି, ପ୍ରତି ରୋଗୀ ଦିନକୁ ପାଇଖାନା, ଗାଧୁଆ ଘରେ ଓ ଅନ୍ୟାନ୍ୟ ଲାଗି ୧୩୫ ଲିଟର ପାଣି ବ୍ୟବହାର କରିଥାଏ, ସେଥିରେ ମଧ୍ୟ ମଇଳା ପାଣି ବାହାରିଥାଏ, ଏସବୁକୁ ମଧ୍ୟ ବିନା ଟ୍ରିଟମେଂଟ ବ୍ୟବସ୍ଥାରେ ରାଉରକେଲାର ବହୁ ଡାକ୍ତରଖାନା ନିଜ କାମ ଚଳାଇଛନ୍ତି, ରାଉରକେଲାର ଅନ୍ୟତମ ହାଇଟେକ ମେଡିକାଲ ଏହି ସବୁ ନିୟମକୁ ଫୁ କରିବାରେ ନମ୍ବର ୧ରେ ଅଛି ବୋଲି ଅଭିଯୋଗ ହେଉଛି । ଏହି ଡାକ୍ତରଖାନାର ପାର୍ଟନର ଭାବେ ରାଉରକେଲା ବିଧାୟକ ରହିବା ପରେ ଡାକ୍ତରଖାନା ବାଲା ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି, ଫଳରେ ବ୍ରାହ୍ମଣୀ ନଦୀ ପ୍ରତି ମୁହୁର୍ତରେ ଅଧିକରୁ ଅଧିକ ପ୍ରଦୁଷିତ ହେଉଛି । ଅତିତର ଇତିହାସ କହେ ପ୍ରଦୁଷଣ ମାତ୍ରା ଏହିଭଳି ବଢିବାରୁ ସହରରେ କଲେରା ଭଳି ସ୍ଥିତି ଉପୁଜିଥିଲା, ଅନେକ ଲୋକ ମରିଥିଲେ କିନ୍ତୁ କାରଣକୁ ସରକାର ସେତେବେଳେ ବହୁତ ସମୟ ଲୁଚାଇଥିଲେ। ସରକାର ଏଥିଲାଗି ନାନା ହଇରାଣ ମଧ୍ୟ ହୋଇଥିଲେ, କିନ୍ତୁ ତଥାପି ଏହି ଡାକ୍ତରଖାନା ମାନେ ଆଜିଯାଏ ପ୍ରଦୁଷଣ ନିୟମକୁ ମାନୁ ନାହାନ୍ତି ବିନା କନସେଂଟ ଟୁ ଅପରେଟରେ ଡାକ୍ତରଖାନା ଚଳାଇଥିବା ଅଭିଯୋଗ ହେଉଛି । ଏହାପରେ ଆଉ ଏକ ବଡ କାରବାର ମଧ୍ୟ ଡାକ୍ତରଖାନା ମାନେ ସିଧାସଳଖ କିମ୍ବା ଅନ୍ୟ ଦ୍ୱାରା କରିଚାଲିଛନ୍ତି । ଡାକ୍ତରଖାନାରୁ ବାହାରୁଥିବା ମଇଲା ବେଡସିଟ, ତକିଆ ଖୋଳ ଗୁଡିକୁ ନିଜର ସଫା କରିବା ବ୍ୟବସ୍ଥା କରିଥିଲେ ବି ଏଥିରେ ମଧ୍ୟ ଆବଶ୍ୟକୀୟ ପ୍ରଦୁଷଣ ନିୟନ୍ତ୍ରଣ ମେସିନ ଲଗାଇ ନାହାନ୍ତି, ଯାହା ଫଳରେ ସେହି ସବୁ ମଇଳା ପାଣି ମଧ୍ୟ ବ୍ରାହ୍ମଣୀକୁ ପ୍ରଦୁଷିତ କରିଚାଲିଛି । ଜିଲ୍ଲାର ସମସ୍ତ ସରକାରି ଡାକ୍ତରଖାନା ଓ ହାଇଟେକ ମେଡିକାଲ ଏଭଳି ସୁବିଧା ନକରି ପ୍ରତି ମୁହୁର୍ତରେ ନଦୀ ପାଣିକୁ ପ୍ରଦୁଷିତ କରୁଛି, ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ମଧ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗରେ ଅନେକ ଦିନ କାମ କରିଛନ୍ତି, ସେ ଜଣେ ପରିବେଶ ବିଜ୍ଞାନୀ, ଏସବୁ କଥାକୁ ସେ ଭଲ ଭାବେ ବୁଝିପାରିବେ ଓ ବୁଝୁଥିବେ, କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ସରକାର ଆସିବାର ୨ବର୍ଷ ପରେ ବି ମନ୍ତ୍ରୀ ଆଜି ଯାଏ ନିରବ ରହିଛନ୍ତି କାହିଁକି ତାହା ବୁଝା ପଡୁନାହିଁ । ରାଜ୍ୟ ମୁଖ୍ୟମନ୍ତ୍ରୀ ଏନେଇ ତୁରନ୍ତ ଦୃଷ୍ଟି ଦେଇ ପବିତ୍ର ବ୍ରାହ୍ମଣୀକୁ ଅପବିତ୍ର ହେବାରୁ ବଂଚାଇବା ସହ ସୁନ୍ଦରଗଡ ଜିଲ୍ଲା ବାସୀଙ୍କୁ ସହାୟ ହେବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ