ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା
ବର୍ଷକରେ ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ, -୧୮୬୨ ଲିଟର ଗଞ୍ଜେଇ ତେଲ ଜବତ,୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ଓଡ଼ିଶା ପୋଲିସ ୦୧.୦୧.୨୦୨୫ ଠାରୁ ୨୮ ଫେବୃୟାରୀ ୨୦୨୬ ପର୍ଯ୍ୟନ୍ତ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଅଭୂତପୂର୍ବ ସଫଳତା ହାସଲ କରିଛ
ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା


ବର୍ଷକରେ ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ,

-୧୮୬୨ ଲିଟର ଗଞ୍ଜେଇ ତେଲ ଜବତ,୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ଓଡ଼ିଶା ପୋଲିସ ୦୧.୦୧.୨୦୨୫ ଠାରୁ ୨୮ ଫେବୃୟାରୀ ୨୦୨୬ ପର୍ଯ୍ୟନ୍ତ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ସମୟସୀମାରେ ପ୍ରାୟ ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ଧ୍ୱଂସ କରାଯିବା ସହିତ, ୧,୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ୨୦୦ କୋଟି ଟଙ୍କା ମୂଲ୍ୟର ୧,୮୬୨ ଲିଟର ଗଞ୍ଜେଇ ତେଲ, ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଏବଂ ୧୦.୧୭ କୋଟି ଟଙ୍କା ମୂଲ୍ୟର କଫ ସିରପ ଜବତ କରାଯାଇଛି। ଏହା ସହିତ, ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଓଡ଼ିଶା ପୋଲିସର ସୁନିୟୋଜିତ ଓ ସ୍ୱତନ୍ତ୍ର ରଣନୀତିର ଫଳସ୍ୱରୂପ ରାଜ୍ୟରେ ନିଶା ମାଫିଆ ନେଟୱର୍କକୁ ଧ୍ୱଂସ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।

ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ୧ ଏପ୍ରିଲ ୨୦୨୬ ଠାରୁ ଆରମ୍ଭ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ଡିଜିପି କହିଥିଲେ ।

ରାଜ୍ୟରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ନକ୍ସଲମାନଙ୍କ ପାଇଁ ଏହା ସହଜ ରୋଜଗାରର ମାଧ୍ୟମ ହୋଇଥିଲା। ଘନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରି ଅସାମାଜିକ କାର୍ଯ୍ୟକଳାପକୁ ଜାରି ରଖୁଥିଲେ। ଓଡ଼ିଶା ପୋଲିସର ନିରନ୍ତର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ, ଯେଉଁ ନକ୍ସଲ ଗୋଷ୍ଠୀ ଏକଦା ୧୨ଟି ଜିଲ୍ଲାରେ ସକ୍ରିୟ ଥିଲେ, ସେମାନେ ଏବେ ମାତ୍ର ୨-୩ ଟି ଜିଲ୍ଲାରେ ସୀମିତ ଅଛନ୍ତି । ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ ୫୦ % ହ୍ରାସ ପାଇଛି।

୧ ଜାନୁୟାରୀ ୨୦୨୫ ଠାରୁ ୨୦୨୬ ଫେବୃୟାରୀ ୨୮ ମଧ୍ୟରେ ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ ମୋଟ ୪୮,୧୬୦ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧,୪୪୪ କୋଟି ଟଙ୍କାରୁ ଅଧିକ। ୨୦୨୫ ମସିହାରେ ୬୭୦ ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯିବା ସହ ୨୯,୪୯୩ ଏକର ନଷ୍ଟ ଏବଂ ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୩୫୭ ମାମଲା ରୁଜୁ କରାଯାଇ ୨୮ ଜଣଙ୍କୁ ଗିରଫ କରାଯିବା ସହ ୧୮,୬୬୭ ଏକର ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି ।

ସେହିପରି ସାରା ରାଜ୍ୟରେ ୨,୬୯,୧୬୬ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ବଜାର ମୂଲ୍ୟ ୧୩୪୬ କୋଟି ଟଙ୍କାରୁ ଅଧିକ ହେବ । ୨୦୨୫ ମସିହାରେ ୧୩୮୯ ଟି ମାମଲା ରୁଜୁ କରାଯାଇ ୧୯୯୧ ଜଣଙ୍କୁ ଗିରଫ କରାଯିବା ସହ ୧,୯୫,୧୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୨୧୭ ମାମଲା ରୁଜୁ କରାଯାଇ ୩୪୩ ଜଣଙ୍କୁ ଗିରଫ କରାଯିବା ସହ ୭୪,୦୩୬ କେଜି ଗଞ୍ଜେଇ ଜବତ କରାଯାଇଛି ।

ଏତଦବ୍ୟତୀତ ବ୍ରାଉନ ସୁଗାର କାରବାରକୁ ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢଉ କରାଯାଇଥିଲା। ଏହି ସମୟ ସୀମା ମଧ୍ୟରେ ୨୦ କେଜି ୬୯୦ ଗ୍ରାମ ବ୍ରାଉନ ସୁଗାର (ଯାହାର ଆନୁମାନିକ ମୂଲ୍ୟ ୪୧.୭ କୋଟିରୁ ଅଧିକ) ଜବତ କରାଯାଇଛି। ମୋଟ ୪୪୫ ଟି ମାମଲା ରୁଜୁ କରାଯାଇ ୯୧୦ ଜଣଙ୍କୁ ଗିରଫ କରାଯାଇଛି। ୨୦୨୫ ମସିହାରେ ୩୫୨ ଟି ମାମଲା ରୁଜୁ କରାଯାଇ ୭୧୯ ଜଣଙ୍କୁ ଗିରଫ କରିବା ସହ ୧୮ କେଜି ବ୍ରାଉନ ସୁଗାର ଜବତ କରାଯାଇଥିଲା । ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୯୩ଟି ମାମଲା ରୁଜୁ କରାଯାଇ ୧୯୧ ଜଣଙ୍କୁ ଗିରଫ କରାଯିବା ସହ ୨ କେଜି ୬୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।

ସେହିପରି କଫ୍ ସିରପ୍ କାରବାର ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଚଢଉ କରିଥିଲା । ୧,୦୧,୭୫୫ ବୋତଲ କଫ ସିରପ ଜବତ କରିବା ସହ ୨୩୬ ଜଣଙ୍କୁ ଗିରଫ କରିଛି। ୨୦୨୫ ମସିହାରେ ୬୯ ଟି ମାମଲା ରୁଜୁ କରାଯାଇ ୨୦୩ ଜଣଙ୍କୁ ଗିରଫ କରିବା ସହ ୭୮,୯୬୯ ବୋତଲ କଫ ସିରପ ଜବତ କରାଯାଇଥିଲା । ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୧୦ ଟି ମାମଲା ରୁଜୁ କରାଯାଇ ୩୩ ଜଣଙ୍କୁ ଗିରଫ କରାଯିବା ସହ ୨୨,୭୮୬ ବୋତଲ କଫ ସିରପ ଜବତ କରାଯାଇଛି । କିଛି ଦିନ ତଳେ କୋରାପୁଟ ଜିଲ୍ଲା ପୋଲିସ ଗଞ୍ଜେଇ ତେଲ (ହାସିସ ତେଲ)ର ପ୍ରସ୍ତୁତିକରଣର ଏକ ୟୁନିଟ୍ ଉପରେ ଚଢଉ କରି ୧୮୦୦ ଲିଟରରୁ ଉର୍ଦ୍ଧ ଗଞ୍ଜେଇ ତେଲ ଜବତ କରିଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ ଓ ୧୦୦୦ କିଗ୍ରାରୁ ଉର୍ଦ୍ଧ ଗଞ୍ଜେଇ (ମୂଲ୍ୟ ପ୍ରାୟ ୫ କୋଟି) କୁ ଜବତ କରାଯାଇଥିଲା । ଉକ୍ତ ୟୁନିଟ୍ କୁ ଧ୍ୱଂସ କରାଯିବା ସହ କେରଳ ରାଜ୍ୟର ୪ ଜଣ ଅପରାଧୀଙ୍କ ସହ ଓଡ଼ିଶାର ୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା ।

ସେହିପରି ୨୦୨୫ ମସିହାରେ ୬୦ ଲିଟର ଗଞ୍ଜେଇ ତେଲ ଜବତ କରିବା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେହିପରି ନିଶାଦ୍ରବ୍ୟ ନଷ୍ଟ କରିବାରେ ପୋଲିସ ଦୃଢ ପଦକ୍ଷେପ ଗ୍ରହଣ କରିଛି। ବିଗତ ୨ ବର୍ଷ ମଧ୍ୟରେ ୬୩୪ ମାମଲାରେ ଜବତ ହୋଇଥିବା ୬୭ ଟନ ଗଞ୍ଜେଇକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ୩ଟି ମାମଲାରେ ଜବତ ହୋଇଥିବା ୧,୦୧୬ ଗ୍ରାମ ଅଧିକ ବ୍ରାଉନ ସୁଗାର ନଷ୍ଟ କରାଯାଇଛି। ସେପ୍େଟମ୍ବର ୨୦୨୫ରେ ଓଡ଼ିଶା ପୋଲିସ ପକ୍ଷରୁ ପରିଚାଳିତ ସ୍ୱତନ୍ତ୍ର ଅଭିଯାନ ପ୍ରହାର ଅଧୀନରେ ୩୩୯ ଟି ମାମଲା ରୁଜୁ କରାଯାଇ ୪୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୧୨,୭୩୬ କେଜି ଗଞ୍ଜେଇ, ୨,୧୮୫ ଗ୍ରାମ ବ୍ରାଉନ ସୁଗାର ଏବଂ ୫,୪୬୮ ବୋତଲ କଫ ସିରପ ଜବତ କରାଯାଇଛି।

ଏଥିସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି।

ଏସଟିଏଫ୍ ଦ୍ୱାରା ପ୍ରଶିକ୍ଷିତ କେ-୯ ସ୍ନାଇଫର ଶ୍ୱାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି। ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ôଥକ ଅନୁଦାନରେ ୨୯ ଟି ଜିଲ୍ଲାରେ ୪୧ ଗୋଟି ଓ ରାଜ୍ୟ ସରକାରଙ୍କ ଆର୍ôଥକ ଅନୁଦାନରେ ୧୧ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ ୫୨ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରରେ ୩୦ ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି । ଏପର୍ଯ୍ୟନ୍ତ ୧୯,୩୯୫ ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

ରାଜ୍ୟବାସୀଙ୍କୁ ନିଶାମୁକ୍ତ ରଖିବା ପାଇଁ ବିଭିନ୍ନ ସ୍କୁଲ, କଲେଜ ଓ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ପୋଲିସ ରାଜ୍ୟବାସୀଙ୍କୁ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଅନୁରୋଧ କରୁଛି। ନିଶା କାରବାର ସମ୍ପର୍କିତ କୌଣସି ସୂଚନା ଥିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ହେଲ୍ପଲାଇନ ନମ୍ବରରେ ଜଣାଇବାକୁ ଆହ୍ୱାନ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ ଏନଏସଏ ଭଳି ୧୯୮୮ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏଥିରୁ ପିଆଇଟିଏନଡିପିଏସ୍ ଆକ୍ଟ ର ଧାରା–୩) ୧୯୮୮ ଅନୁଯାୟୀ ୨ଟି ମାମଲାରେ ଦୁଇଜଣ ନିଶା ବ୍ୟବସାୟୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ ଏବେ ଜେଲରେ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande