
ଜୟପୁର,୨୦ ମାର୍ଚ୍ଚ(ହି.ସ.) – କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ମନରେଗା ଓ ସମଗ୍ର ଶିକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଏବଂ ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣା ଯୋଗ ଦେଇଥିଲେ। କର୍ମଚାରୀଙ୍କ ଅନିୟମିତତାକୁ ନେଇ ଆରମ୍ଭରୁ ତାତିଲେ ଅଧିକାରୀ। ସାମାଜିକ ସମୀକ୍ଷାର ତଥ୍ୟ ଅନୁସାରେ ନଥିପତ୍ର ସମ୍ୱନ୍ଧୀୟ କର୍ମଚାରୀଙ୍କ ଅବହେଳା, ସୂଚନା ଫଳକ ନକରିବା, କାର୍ଯ୍ୟ ସ୍ଥଳରେ ଶ୍ରମିକଙ୍କ ପାଇଁ ଆନୁସଙ୍ଗିକ ସୁବିଧା ନ କରିବା ଭଳି ମନରେଗାରେ ସମୁଦାୟ ୨୮ଟି ଅଭିଯୋଗ ଶୁଣାଣୀ କରିଛନ୍ତି। ସମଗ୍ର ଶିକ୍ଷାର ସମୀକ୍ଷା କରିଥିଲେ। ବ୍ଲକର ୩୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇଥିଲା। ଏ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଗୁଡ଼ିକର ସମସ୍ୟା ଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ କ୍ଷ ସ୍କୁଲରେ ଆସୁଥିବା ଅନୁଦାନରୁ କେଉଁ କେଉଁ କାର୍ଯ୍ୟ କରାଯାଉଛି। ସେହି ଅନୁଦାନରୁ ସ୍କୁଲ ମରାମତି, ପରିମଳ ଆଦି ପାଇଁ ଖର୍ଚ୍ଚ କରାଯାଉଛି କି ନାହିଁ ସେ ସବୁ ବିଷୟରେ ପଚାରି ବୁଝିଥିଲେ ଓ ସ୍କୁଲ ଗୁଡ଼ିକର ସମସ୍ତ କାର୍ଯ୍ୟ ନିୟମିତ ଚାଲୁଅଛି। ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର କିଟ ଯୋଗାଇ ଦିଆଯାଇଛି କିନ୍ତୁ ବ୍ୟବହାର କରାଯାଉ ନାହିଁ ଆଗକୁ ବ୍ୟବହାର ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ସ୍କୁଲ ଗୁଡ଼ିକର ଭିତିଭୂମି ସମସ୍ୟା ଯେପରିକି ଅତିରିକ୍ତ ଶ୍ରେଣି ଗୃହ, ବିଶୁଦ୍ଧ ପାନୀୟ ଜଳ, ପାଚେରୀ, ଖେଳ ପଡିଆ,ରୋଷେଇ ଘର ଆଦି ପାଇଁ ପଂଚାୟତ ଓ ବ୍ଲକ ରୁ ପ୍ରକଳ୍ପ ରଖି ସମାଧାନ କରିବାକୁ ପିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ଅନ୍ୟମାନଙ୍କ ମଧ୍ୟରେ ବି ଡି ଓ ପି.ମନସ୍ମିତା, ବ୍ଲକ ଅଧ୍ୟକ୍ଷା ବନିତା କାନ୍ଦିଲିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଧା ବିନୋଦ ସାମନ୍ତରାୟ, ତହସିଲଦାର ବିନୋଦ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା କନକ ଲତା ପେଣ୍ଠିଆ ପ୍ରମୁଖ ମଂଚାସୀନ ଥିଲେ। ସମସ୍ତ ସରପଂଚ, ସମିତି ସଭ୍ଯ ସଭ୍ୟା, ଏପିଓ ଚିନ୍ତାମଣୀ ତାଣ୍ଡି, ବିଏସ୍ଏ କୈଳାଶ ଚନ୍ଦ୍ର ଶ୍ରୀ କରଲିଆ, ବିଇଓ ରଘୁନାଥ ପାଙ୍ଗି, ଏବିଇଓ ପପେୟା ବେହେରାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି