
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ.) - ଆସନ୍ତା ଏପ୍ରିଲ ୨ ତାରିଖରେ ଆୟୋଜିତ ହେବାକୁ ଥିବା 'ପ୍ରବେଶ ଉତ୍ସବ' ଓ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଅଭିଭାବକଙ୍କୁ ଆହ୍ୱାନ ଦେଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ଅଭିଯାନରେ ଗୁଣାତ୍ମକ ଶିକ୍ଷା ହେଉଛି ଆମର ସବୁଠାରୁ ବଡ଼ ସମ୍ବଳ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂତନ ଶିକ୍ଷା ନୀତିର ସଫଳ ରୂପାୟନ କରିବାରେ ଓଡ଼ିଶା ଆଜି ଦେଶର ଅଗ୍ରଣୀ ରାଜ୍ୟ ସାଜିଛି। ଆମ ସରକାରଙ୍କ ଦ୍ୱାରା ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଥିବା 'ଶିଶୁ ବାଟିକା' କେବଳ ଏକ ଶିକ୍ଷା କେନ୍ଦ୍ର ନୁହେଁ, ବରଂ ଆମ ପିଲାମାନଙ୍କର ଉଜ୍ଜ୍ୱଳ ଏବଂ ସୁରକ୍ଷିତ ଭବିଷ୍ୟତର ଏନ୍ତୁଡ଼ିଶାଳ।
ଆସନ୍ତା ଏପ୍ରିଲ ୨ ତାରିଖରେ ଆୟୋଜିତ ହେବାକୁ ଥିବା 'ପ୍ରବେଶ ଉତ୍ସବ' ଓ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଁ ସମସ୍ତ ଅଭିଭାବକଙ୍କୁ ଆହ୍ୱାନ କରୁଛି। 'ଆସ ସ୍କୁଲ ଯିବା ଅଭିଯାନ' ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ମନେରଖନ୍ତୁ, ଯେବେ ଓଡ଼ିଶାର କୁନି କୁନି ପାଦ ଆଗକୁ ବଢ଼ିବ, ସେବେ ହିଁ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ସାକାର ହେବ। ଆସନ୍ତୁ, ଏକ ଶିକ୍ଷିତ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା