
ସତର୍କତା ପାଇଁ ବ୍ୟାପକଜନସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପେ୍ଲକ୍ସରେ ଘଟିଥିବା ଅଗ୍ନିକାଣ୍ଡ ପରେଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହକାରେ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକରେଅଗ୍ନି ସୁରକ୍ଷାପ୍ରସ୍ତୁତି ସମୀକ୍ଷାକରିଛନ୍ତି । ଏ ସଂପର୍କରେ ବିଭିନ୍ନ ପଦକ୍ଷେପ ନେଇ ସଂପୃକ୍ତ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଯଥେଷ୍ଟ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅଗ୍ନିଶମ ସେବା ପୁଲିସ୍ ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ଶକ୍ତି , ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଂଚଳ ରାଣାଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଅଗ୍ନି ସୁରକ୍ଷା ସଂପର୍କିତ ନିୟମିତ ଯାଂଚ ସହିତ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସୂଚନା, ଶିକ୍ଷା ଓଯୋଗାଯୋଗ(ଆଇଇସି) ଅଭିଯାନ ଆରମ୍ଭ କରି ଏହାକୁ ବ୍ୟାପକ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ, ହାଉସିଂ ସୋସାଇଟି, ବଡ ବଡ କୋଠା ଆଦିଅଗ୍ନି ସୁରକ୍ଷା ମାର୍ଗଦର୍ଶିକା ଅନୁପାଳନ କରିବା କଥା, ସେମାନଙ୍କୁ ବୈଧ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରସ୍ତୁତି ସ୍ୱରୂପ ବିଭିନ୍ନ ପ୍ରତିଷ୍ଠାନମାନେ ନିଜ ନିଜର କର୍ମଚାରୀ ବା ରହିଥିବା ମାନବ ସମ୍ବଳ(ଏଚଆର)ଙ୍କ ମଧ୍ୟରୁ ଅଗ୍ନି ସୁପରଭାଇଜର ନିୟୋଜିତ କରିବେ ।ସେମାନଙ୍କୁ ଅଗ୍ନିଶମ ସେବା ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଏହା ସହିତ ବିଭିନ୍ନ କୋଠାଗୁଡିକରେ ବିଦ୍ୟୁତ୍ ବ୍ୟବସ୍ଥାର ନିୟମିତ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି ।ଅଗ୍ନିକାଣ୍ଡ ଧନ ଜୀବନକୁ ବିପଦରେ ପକାଉଥିବାରୁ ପ୍ରତ୍ୟେକ ନାଗରିକଙ୍କର ଏ ଦିଗରେ ସଚେତନ ହେବା ଓ ସୁରକ୍ଷା ନିୟମ ମାନିବା ଅତ୍ୟାବଶ୍ୟକ । ଅଗ୍ନିଶମ ସେବା ଡିଜି ଡଃ. ଷଡ଼ଙ୍ଗୀ ବିଭିନ୍ନ ପରାମର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ଜରୁରୀକାଳୀନ ସ୍ଥିତିରେ ଜନସାଧାରଣ ୧୧୨ ହେଲ୍ପଲାଇନ୍ କୁ ତୁରନ୍ତ ଫୋନ୍ କରି ସହାୟତା ନେବାକୁ ଅନୁରୋଧ କରିଛନ୍ତି । ୧୧୨ ହେଉଛି ଏକ ଜରୁରୀ ସହାୟତା ନମ୍ବର, ଯାହାଟୋଲଫ୍ରି(ଦେୟମୁକ୍ତ) ଭାବେ ଉପଲବ୍ଧଏବଂ ପୁଲିସ, ଅଗ୍ନିଶମ, ଚିକିତ୍ସା ସୁରକ୍ଷା ଓ ଅନ୍ୟାନ୍ୟ ଜରୁରୀ ସେବା ପାଇଁ ତୁରନ୍ତ ସହାୟତା ପାଇବାରେ ବ୍ୟବହୃତ ହୋଇଥାଏ ।ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଯିବା ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ଅଗ୍ନିଶମସେବା, ପୂର୍ତ୍ତବିଭାଗ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭାଗଙ୍କ ସମନ୍ୱୟରେ ତୁରନ୍ତ ଏକସଦ୍ୟ ମାର୍ଗଦର୍ଶିକା(ଏସ୍ଓପି) ପ୍ରସ୍ତୁତି କରିବା ଏବଂ ତଦନୁସାରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖିପୁରୀ ସହରରେ ବିଶେଷ କରି ହୋଟେଲ୍ ଓ ଜନ ଗହଳି ରହୁଥିବା ଅଞ୍ଚଳମାନଙ୍କରେ ଥିବା କୋଠାଗୁଡିକରେ ଅଗ୍ନି ନିରାପତ୍ତା ଯାଂଚ ଅଭିଯାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା