
ଶିକ୍ଷା ହିଁ ସମାଜର ଆଲୋକ ବର୍ତିକା: ନଗରପାଳ ଶୁଭେନ୍ଦୁ ସାହୁ
ଛାତ୍ର ଛାତ୍ରୀମାନେ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହୁଅନ୍ତୁ : ଦିଲ୍ଲୀପ ଦାସ
ଭୁବନ,୨୧ ମାର୍ଚ୍ଚ(ହି.ସ.) – ଭୁବନ ଅଂଚଳର ବହୁ ପୁରାତନ ଶିକ୍ଷାନୁଷ୍ଠାନ ଆଶୀର୍ବାଦ କୋଚିଂ ସେଂଟର ର ୨୫ ତମ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ ) ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅନୁ ଚରଣ ଦାସଙ୍କ ସଭାପତିତ୍ୱ ରେ ଭୁବନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ହିଁ ସମାଜର ଆଲୋକ ବର୍ତିକା ଓ ଦର୍ପଣ। ଯେଉଁ ଅଂଚଳ ଯେତେ ଶିକ୍ଷିତ ସେହି ଅଂଚଳ ସେତେ ସମୃଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଆଶୀର୍ବାଦ କୋଚିଂ ସେଂଟର ପ୍ରତି ଆପଣ(ଅଭିଭାବକ)ମାନଙ୍କର ଆଶୀର୍ବାଦ ରହିଲେ ଅନୁଷ୍ଠାନ ଆହୁରି ଆଗକୁ ବଢ଼ିବ ବୋଲି ନଗରପାଳ ଶ୍ରୀ ସାହୁ କହିଥିଲେ। ମୁଖ୍ୟବକ୍ତା ଭାବେ ଭୁବନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଯେଉଁ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷାଦାନ ଯେତେ ଉନ୍ନତ ସେଠାରେ ଛାତ୍ର ଛାତ୍ରୀ ସେତେ ଉନ୍ନତି କରନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଶୀର୍ବାଦ କୋଚିଂ ସେଂଟର। ଏହି ଅନୁଷ୍ଠାନ ଭୁବନର ଗର୍ବ ଓ ଗୌରବ ପାଲଟିଛି। ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ର ନିର୍ମାଣ ରେ ବ୍ରତୀ ହେବାକୁ ମୁଖ୍ୟବକ୍ତା ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଦର୍ଶ ଶିକ୍ଷକ ସତ୍ୟବାଦୀ ସେନାପତି,ବ୍ୟଙ୍ଗକବି ପ୍ରତାପ ରଶ୍ମି ନାୟକ, ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା କମଳ ଲୋଚନ ରଣା ଯୋଗଦେଇଥିଲେ। ଶିକ୍ଷକ ବସନ୍ତ ଦାସ ଓ ସୁଶାନ୍ତ କୁମାର ଦାସ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠାନର ଶିକ୍ଷକ ରାମଚନ୍ଦ୍ର ନାୟକ,ମନ୍ମଥ ପତି,ସଞ୍ଜୟ ପ୍ରଧାନ,ସତ୍ୟ ପ୍ରକାଶ ପୃଷ୍ଟି,ଦିବ୍ୟ ରଞ୍ଜନ ସାହୁ, ଶିକ୍ଷୟିତ୍ରୀ ଜସ୍ମିନ୍ ପୃଷ୍ଟି, ପୂଜାରାଣୀ ସାହୁ ,ବିଶ୍ୱରେଖା ବେହେରା, ପୂଜାରାଣୀ ପୃଷ୍ଟି ଓ ପୁରାତନ ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ରୌପ୍ୟ ଜୟନ୍ତୀ ଅବସରରେ ସକାଳେ ଜଗନ୍ନାଥ ମନ୍ଦିର ଠାରୁ ଭୁବନ ହାଇସ୍କୁଲ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ୨୫ ଟି ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବନ୍ଧୁ ମିଳନ ଓ ଫଟୋ ଉତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି