
କେନ୍ଦୁଝର, 21 ମାର୍ଚ୍ଚ (ହି.ସ.)
କେନ୍ଦୁଝର ଜିଲ୍ଲା ହେଉଛି ଓଡ଼ିଶାର ମୁଖଶାଳା। କେନ୍ଦୁଝର ଜିଲ୍ଲାର ବିକାଶ ହେଲେ ଓଡ଼ିଶାର ବିକାଶ ହୋଇପାରିବ। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଏହି ଜିଲ୍ଲାରେ ଭରପୁର ହୋଇ ରହିଛି ବୋଲି ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଜିଲ୍ଲାପାଳଙ୍କୁ ଭେଟି କହିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କୁ ପଣ୍ଡିତ ମହାପାତ୍ର ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ: ମୋହନ ଚରଣ ପୁସ୍ତକ ଅର୍ପଣ ପୂର୍ବକ ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା ଇତିହାସ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରଚିତ ସୁଦୀର୍ଘ ସାଧନା ପ୍ରସୂତ ଜୀବନୀ ପୁସ୍ତକ ଦେଖି ଓ ପଢ଼ି ଜିଲ୍ଲାପାଳ ବିଶାଲ ସିଂହ ଅଭିଭୂତ ହେବା ସହିତ ପଣ୍ଡିତଙ୍କ ସାହିତ୍ୟ ସାଧନାକୁ ଭୂୟସୀ ପ୍ରଶଂସା କରିଥିଲେ। ବିଶିଷ୍ଟ ସମାଜସେବୀ ଗଣେଶ୍ୱର ମହାନ୍ତ, ଖଣ୍ଡାଧାରର ପରିଚାଳନା ସମ୍ପାଦକ, ସାରସ୍ୱତ ସାଧକ ଡମ୍ବରୁଧର ମହାନ୍ତ, ସମାଜ ସଂସ୍କାରକ ତୁଳସୀ ରାମ ଜଗତ ଉପସ୍ଥିତ ରହି ପଣ୍ଡିତ ଶ୍ରୀ ମହାପାତ୍ରଙ୍କ କୃତି ଓ କୃତିତ୍ବକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର କହିଥିଲେ , ଖୁବ୍ ଶୀଘ୍ର ପ୍ରକାଶ ପାଇବ ଭୁୟାଁ ମେଳିର ସର୍ଦ୍ଦାର ରତନା ନାୟକ ଏବଂ ଧରଣୀଧର ଭୂୟାଁଙ୍କ ଉପରେ ଦୁଇଟି ଗବେଷଣାଧର୍ମୀ ପୁସ୍ତକ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA