
ନୂଆପଡ଼ା,୨୧ ମାର୍ଚ୍ଚ(ହି.ସ.) – ଚିନାବାଦାମ ଏକ ଲାଭଜନକ ଚାଷ, ଖାଇବା ପାଇଁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ବଜାର ଚାହିଦା ମଧ୍ୟ ବେଶୀ। କିନ୍ତୁ ଏହି ଚାଷ କରି ଏବର୍ଷ କ୍ଷତି ସହିଥିବାର ଅଭିଯୋଗ କରିଛନ୍ତି ଚାଷୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମରେ ଚିନାବାଦାମ ଚାଷ କରାଯାଏ। ବିଶେଷ କରି ନଦୀକୁଳ ଗାଁ ସବୁରେ ଏହି ଚାଷ ବହୁଳ ପରିମାଣରେ କରାଯାଏ। ଏହି ବ୍ଲକର ତୁକଲା ଗ୍ରାମ ପଂଚାୟତର ତୁକଲା ଓ ମାଲପଡ଼ା ଗ୍ରାମରେ ଶତାଧିକ ଏକର ଜମିରେ ଚିନାବାଦାମ ଚାଷ କରି ଭଲ ଦୁଇ ପଇସା ଉପାର୍ଜନ କରନ୍ତି ଚାଷୀ। ଏବର୍ଷ କିନ୍ତୁ ଭଲ ଅମଳ ହୋଇ ପାରିଲା ନାହିଁ। ଜଳସେଚନ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ଭରସାରେ ଚାଷ କରିଥାନ୍ତି ଚାଷୀ। ଏବର୍ଷ ମଧ୍ୟ ବହୁତ ଆଶା ନେଇ ଚାଷୀ ମାନେ ଚିନାବାଦାମ କରିଥିଲେ। ସରକାରୀ ବିହନ ମିଳୁ ନଥିବାରୁ ନିଜେ କିଣି କି ରୋପଣ କରିଥିଲେ। ଅନେକ ଚାଷୀ ଧାର କରଜ ମଧ୍ୟ କରିଥିଲେ। ଗୋଟିଏ ଏକର ଜମିରେ ପ୍ରାୟ ଦଶ ରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୋଡିଏରୁ ପଚିଶ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ। କିନ୍ତୁ ଏବର୍ଷ ମୂଳ ମଧ୍ୟ ମିଳି ପାରୁନାହିଁ। କାରଣ ଠିକ ସମୟରେ ବର୍ଷା ହେଲାନାହିଁ। ଏଣୁ ଚିନାବାଦାମ ଗଛ ମରିବାକୁ ବସିଲା ଓ ଫଳ ଧରିଲା ନାହିଁ।ଉତ୍ପାଦନ କମି ଯିବାରୁ ଚାଷୀ ଏବେ ଚିନ୍ତାରେ।ଧାର କରଜ ସୁଝିବେ କିପରି ଭାବି ପାରୁନାହାଁନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଚିନାବାଦାମ ଚାଷ ପାଇଁ ସରକାରୀ ସହଯୋଗ ବ୍ୟବସ୍ଥା ରହିଛି କିନ୍ତୁ ପ୍ରକୃତ ଚାଷୀଙ୍କୁ କୌଣସି ସହାୟତା ମିଳି ପାରୁ ନାହିଁ। ବାହାରୁ ଚାଷୀ କିଣୁଥିବା ବିହନ ଠିକ ଫଳ ଧରୁନି। କୌଣସି ବୀମାରେ ସାମିଲ କରାଯାଉନାହିଁ। ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀ ବେପାରୀକୁ କମ୍ ମୂଲ୍ୟରେ ବିକି ଦେବାକୁ ବାଧ୍ୟ ହେଉଛି। ସବୁପ୍ରକାର ସହଯୋଗ ସହିତ ସବୁ ବିଲକୁ ଜଳସେଚନ ବ୍ୟବସ୍ଥା କଲେ ଭଲ ଉପାର୍ଜନ ପାଇ ପାରନ୍ତେ ଚାଷୀ। ଏନେଇ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଚାଷୀମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଥିବା କହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ