
ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ଵାନ ଭିସି ରୁମ୍ ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ‘ପିଏମ୍ ଶ୍ରୀ’ ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ଜନହିତକର ପ୍ରକଳ୍ପଗୁଡ଼ିକର ପରିଚାଳନା ଓ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଛନ୍ତି। ବିଶେଷ କରି ସରକାରୀ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟଗୁଡ଼ିକରେ ଉନ୍ନତମାନର ସେବା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଣିକି ପ୍ରତି ଶନିବାର ଦିନ ଏକ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଯୋଗଦେଇ ସେମାନଙ୍କ ଅଞ୍ଚଳରେ ଥିବା ପିଏମ୍ ଶ୍ରୀ ସ୍କୁଲ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ‘ମଡେଲ ଜିପି’ ଗୁଡ଼ିକରେ ଚାଲିଥିବା କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବେ। ଜିଲ୍ଲାର ପ୍ରତି ବ୍ଲକରେ ଅନ୍ତତଃ ପକ୍ଷେ ଗୋଟିଏ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ବା ମଡେଲ ଜିପି ଭାବେ ଗଢ଼ି ତୋଳିବା ପାଇଁ ବ୍ଲକଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଯାଞ୍ଚ ପାଇଁ ଜିଲ୍ଲାପାଳ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ନିୟୋଜିତ ବରିଷ୍ଠ ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ବ୍ଲକ ପରିଦର୍ଶନ କରି କ୍ଷେତ୍ର ସ୍ତରରେ କାର୍ଯ୍ୟର ମାନ ପରଖିବେ ଏବଂ ତଦାରଖ କରିବେ। ସମୟସୀମା ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ