
ଅନୁଗୋଳ/ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ପ୍ରତ୍ୟେକ ଗ୍ରାମରେ ବିକାଶର ଧାରାକୁ ସୁଦୃଢ଼ କରି ଜନସାଧାରଣଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ହିଁ ଆମର ମୂଳ ଲକ୍ଷ୍ୟ ବୋଲି ଶନିବାର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଠାରେ ପ୍ରାୟ ୧୭୨ କୋଟି ଟଙ୍କା ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଛେଣ୍ଡିପଦା ଅଞ୍ଚଳର ପ୍ରଗତି ପାଇଁ ନିର୍ମିତ ହେବାକୁ ଥିବା ଷ୍ଟାଡିୟମ୍ ଓ ନୂତନ କମ୍ୟୁନିଟି ସେଣ୍ଟର ଭଳି ବୃହତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏଥିସହିତ ୪୨ ଜଣ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଛି । ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଗୋଳ ଜିଲ୍ଲାକୁ ପ୍ରାୟ ୨୫,୦୦୦ରୁ ଅଧିକ ଘର ଆସିବ ଏବଂ ଡବଲ ଇଞ୍ଜିନ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଭତା ପହଂଚାଇବାକୁ ସଂକଳ୍ପବଦ୍ଧ । ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟରେ ଡେରଜଙ୍ଗ ପ୍ରକଳ୍ପରେ ଏକ ଆଧୁନିକ ବୋଟିଂ ଫ୍ୟାସିଲିଟିର ଲୋକାର୍ପଣ କରାଯାଇଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଆମଦାନୀ ଓ ରୋଜଗାର ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେହିପରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଓ ଓଡ଼ିଶା ସରକାରଙ୍କ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ତେବେ ସମ୍ଭବ ହେବ, ଯେବେ ଆମ ଅନୁଗୋଳ ଓ ଛେଣ୍ଡିପଦା ବିକଶିତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ପରିବେଶ ଗଢ଼ିବା ଲକ୍ଷ୍ୟରେ ସେ ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସମସ୍ତ ଶିକ୍ଷକମାନଙ୍କ ସହଯୋଗ ଲୋଡ଼ିଛନ୍ତି ଶ୍ରୀ ପ୍ରଧାନ । ଶେଷରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ସହ ପାଣି, ଘର ଓ ରୋଜଗାର ଭଳି ସମସ୍ୟାର ସମାଧାନ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ପ୍ରଧାନ ଛେଣ୍ଡିପଦା ଠାରେ ଦଳର ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ମିଶ୍ରଣ ପର୍ବରେ ନୂଆ ସଦସ୍ୟଙ୍କୁ ଦଳରେ ସ୍ୱାଗତ କରିଥିଲେ । ସେ କହିଥିଲେ, ଏହି କାର୍ଯ୍ୟାଳୟ କେବଳ ଏକ କୋଠା ନୁହେଁ, ବରଂ ଏହା ଆମ ସମସ୍ତ କାର୍ଯ୍ୟକର୍ତାଙ୍କ ସେବା, ସଂକଳ୍ପ ଏବଂ ସମର୍ପଣର ଏକ ନୂଆ କେନ୍ଦ୍ରବିନ୍ଦୁ । ଆଗାମୀ ଦିନରେ ଏହା ଅଂଚଳର ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ବିକାଶମୂଳକ ଆଲୋଚନାର ପ୍ରମୁଖ ସ୍ଥଳ ସାଜିବ । ମିଶ୍ରଣ ପର୍ବରେ ନୂତନ ସଦସ୍ୟଙ୍କ ଯୋଗଦାନ ଛେଣ୍ଡିପଦା ଅଞ୍ଚଳରେ ସଂଗଠନକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀଙ୍କ 'ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ' ମନ୍ତ୍ର କୋଟି କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି । ଆମର ମୁଖ୍ୟ ଲକ୍ଷ୍ୟ ହେଉଛି 'ଅନ୍ତ୍ୟୋଦୟ' ।ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ଯେପରି ପ୍ରତ୍ୟେକ ସରକାରୀ ଯୋଜନାର ସୁଫଳ ସଠିକ୍ ଭାବେ ପହଞ୍ଚିପାରିବ, ସେଥିପାଇଁ ନିଷ୍ଠାର ସହ ଦାୟିତ୍ୱ ନେବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଛେଣ୍ଡିପଦାରେ ଆୟୋଜିତ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୧୬୨.୯୧ କୋଟି ଟଙ୍କା ମୂଲ୍ୟର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ସହ ୮.୭୩ କୋଟି ଟଙ୍କା ମୂଲ୍ୟର ୬ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଏତଦବ୍ୟତୀତ ଅନୁଗୋଳ ଗସ୍ତକାଳରେ ଶ୍ରୀ ପ୍ରଧାନ ବଅଁରପାଳ ଅନ୍ତର୍ଗତ ତୁରଙ୍ଗ ଗ୍ରାମପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ, ତୁରଙ୍ଗ ତୁରଙ୍ଗ ଛକ ଠାରେ ନବନିର୍ମିତ ଯାତ୍ରୀ ବିଶ୍ରାମାଗାର ଏବଂ ଛେଣ୍ଡିପଦା ଠାରେ ବାଲିପଟ୍ଟା ରାଜସ୍ୱ ନୀରିକ୍ଷକଙ୍କ ନୂତନ କାର୍ଯ୍ୟାଳୟର ଉଦଘାଟନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା