

ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତ ଭିତରେ ଦଲାଲ କିଣୁଛନ୍ତି ପିଡିଏସ୍ ଚାଉଳ । ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଗରିବ ଓ ଅସହାୟ ଲୋକେ ଦଲାଲଙ୍କ କବଜାରେ ପଡି ମାସକ ପାଇଁ ମିଳୁଥିବା ଏହି ଚାଉଳ ବିକ୍ରି କରୁଥିବା ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଭିତରେ ଥିବା ପୋଷ୍ଟ ଅଫିସ ଗୃହ ସମ୍ମୁଖରେ ଗଚ୍ଛିତ କରି ଦଲାଲ ମାନେ ଖୋଲାଖୋଲି ଭାବେ ଏହି ପିଡିଏସ୍ ଚାଉଳ ଖରିଦ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବିଡମ୍ବନାର ବିଷୟ ପାଲଟିଛି । ପ୍ରତିଥର ଚାଉଳ ଏବଂ ମାଣ୍ଡିଆ ଦେବା ସମୟରେ ଉକ୍ତ ବ୍ୟକ୍ତି ମାନେ ଲୋକଙ୍କ ଠାରୁ କମ୍ ଦରରେ ଖରିଦ କରି ବଡ଼ ବ୍ୟବସାୟୀଙ୍କୁ ଅଧିକ ଅର୍ଥରେ ବିକ୍ରି କରି ଲାଭବାନ ହେଉଥିବା ଜଣାପଡ଼ିଛି । ଏପରି ସ୍ଥିତିରେ ଗରିବ ଓ ଅସହାୟଙ୍କ ପାଇଁ ଆସୁଥିବା ପିଡିଏସ୍ ଚାଉଳ ଏବଂ ମାଣ୍ଡିଆ ବଣ୍ଟନ ସମୟରେ ବ୍ୟବସାୟ କରୁଥିବା ଦଲାଲ୍ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ