
ଭୁବନ, ୨୧ ମାର୍ଚ୍ଚ (ହି.ସ.)- ଭୁବନ ଅବକାରୀ ବିଭାଗ କାର୍ଯ୍ୟାଳୟରେ ନୂତନ ନିରୀକ୍ଷକ ଭାବେ ବୁଲୁ ପାତ୍ର ଯୋଗଦେବା ପରଠାରୁ ରୀତିମତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଗତକାଲି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧୫ ଲିଟର ଦେଶୀ ମଦ ସହିତ ୧୭ ଲିଟର ବିଦେଶୀ ମଦ ( ବିଅର) ଜବତ କରାଯାଇଥିଲା ଓ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ପ୍ରାପ୍ତ ସୂଚନାରୁ ଅନୁଯାୟୀ, ଭୁବନ ଥାନା ଅନ୍ତର୍ଗତ କଂସରଗୋଡା ଗ୍ରାମର ଦୁଃଶାସନ ମହାନ୍ତି ଦେଶୀ ମଦ ଓ ମହୁଲପାଳ ଗ୍ରାମର ଅକ୍ଷୟ କୁମାର ରାଉତ ନିୟମିତ ଭାବେ ବିଦେଶୀ ମଦ କାରବାର କରୁଥିଲେ। ଏ ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ସଦଳବଳେ ଚଢ଼ଉ କରି କଂସରଗୋଡା ଗ୍ରାମର ଦୁଃଶାସନ ମହାନ୍ତିଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଓ ମହୁଲପାଳ ଗ୍ରାମର ଅକ୍ଷୟ କୁମାର ରାଉତଙ୍କ ଠାରୁ ୧୭ ଲିଟର ବିଦେଶୀ ମଦ ( ବିଅର) ଜବତ କରିଥିଲେ । ଅଭିଯୁକ୍ତ ଦୁଃଶାସନ ମହାନ୍ତିଙ୍କ ନାମରେ କେଶ୍ ନଂ ୧୯୨/୨୫-୨୬ ଓ ଅକ୍ଷୟ ରାଉତଙ୍କ ନାମରେ କେଶ୍ ନଂ ୧୯୩/୨୫-୨୬ ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ